Categories: ଜାତୀୟ

ବିଧାନସଭା ନିର୍ବାଚନ: ୪ରାଜ୍ୟରେ ୪୦ ଜନସଭା କରିଛନ୍ତି ମୋଦି, ହେଲେ ଥରୁଟେ ଯାଇ ନାହାନ୍ତି ମିଜୋରାମ

ନୂଆଦିଲ୍ଲୀ,୨୮।୧୧: ସରିଛି ୪ରାଜ୍ୟର ବିଧାନସଭା ନିର୍ବାଚନ। ଛତିଶଗଡ, ମିଜୋରାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମତଦାନ ସୂଚାରୁ ରୁପେ ସମ୍ପୂର୍ଣ୍ଣ ହୋଇଛି। ଆଉ ବାକି ଅଛି ଗୋଟିଏ ରାଜ୍ୟର ନିର୍ବାଚନ। ନଭେମ୍ବର ୩୦ରେ ତେଲଙ୍ଗାନାରେ ହେବାକୁ ଯାଉଛି ଶେଷ ମତଦାନ। ଡିସେମ୍ବର ୩ରେ ଏକାସାଥିରେ ସବୁ ରାଜ୍ୟର ଫଳାଫଳ ପ୍ରକାଶ ପାଇବ। ଲୋକସଭା ନିର୍ବାଚନ ପୂର୍ବରୁ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା କଷିଥିଲେ ସବୁ ଦଳ। ଖାସ୍‌ କରି ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ରାଜ୍ୟରେ ପ୍ରଚାର ପାଇଁ ୪୦ଟି ରାଜନୈତିକ ସମାବେଶକୁ ସମ୍ବୋଧିତ କରିଥିବା ଜଣାପଡିଛି। ଏହାରି ଭିତରେ ସେ ଅନେକ ରୋଡ ଶୋ ମଧ୍ୟ କରିଛନ୍ତି। ମଧ୍ୟ ପ୍ରଦେଶରେ ସର୍ବାଧିକ ୧୪ଜନସଭାକୁ ସମ୍ବୋଧିତ କରିଥିବାବେଳେ ପୂର୍ବ-ଉତ୍ତର ରାଜ୍ୟ ମିଜୋରାମରେ ସେ କୌଣସି ନିର୍ବାଚନ କାର୍ଯ୍ୟକ୍ରମରେ ଭାଗ ନେଇ ନାହାନ୍ତି।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ରାଲି ଛତିଶଗଡରେ କରିଥିଲେ। ଏହାପରେ ସେ ଦୁର୍ଗ, ବିଶ୍ରାମପୁର, ମୁଙ୍ଗେଲୀ ଓ ମହାସମୁଦ୍ରରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଥିଲେ।
ଏହାପରେ ମଧ୍ୟପ୍ରଦେଶରେ ମୋଦି ମୋଟ ୧୪ ଜନସଭାକୁ ସମ୍ବୋଧିତ କରିବା ସହ ଇନ୍ଦୋରରେ ଗୋଟିଏ ରୋଡ ଶୋ କରିଛନ୍ତି। ସେ ସଭନୀ, ଖଣ୍ଡଭା, ସିଧି, ଦମୋହ ଓ ଗୁଣା ଆଦିରେ ରାଜନୈତିକ ସମାବେଶ କରିଛନ୍ତି।

କଂଗ୍ରେସ ଶାସିତ ରାଜସ୍ଥାନରେ ମୋଦି ୧୨ଟି ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି। ସେହିପରି ତେଲଙ୍ଗାନାରେ ପ୍ରଧାନମନ୍ତ୍ରୀ ମୋଟ ୮ଟି ନିର୍ବାଚନୀ ଜନସଭା ଓ ଗୋଟିଏ ରାଲି କରିଛନ୍ତି।
ତେବେ ପାଞ୍ଚଟି ରାଜ୍ୟ ମଧ୍ୟରୁ ପୂର୍ବ-ଉତ୍ତର ରାଜ୍ୟ ମିଜୋରାମରେ ମୋଦି କୌଣସି ନିର୍ବାଚନୀ ରାଲି କିମ୍ବା ରୋଡ ଶୋ କରି ନାହାନ୍ତି।

Share