Categories: ଜାତୀୟ

ମୋଦିଙ୍କ ରାଲିକୁ ଯିବା ପାଇଁ ଖବରଦାତାଙ୍କୁ ଦେବାକୁ ପଡ଼ିବ ଚରିତ୍ର ପ୍ରମାଣପତ୍ର

ଶିମଲା,୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୫ରେ ହିମାଚଳ ପ୍ରଦେଶକୁ ଦିନିକିଆ ଗସ୍ତ କରିବେ। ଏହି ସମୟରେ ମୋଦି ବିଲାସପୁରରେ ଏମ୍ସ କ୍ୟାମ୍ପସ୍‌କୁ ଉଦ୍‌ଘାଟନ କରିବେ। ଏତଦ୍‌ ବ୍ୟତୀତ ଏକ ଜନସଭାକୁ ମୋଦି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ କୁଲ୍ଲୁ ଦଶହରା ଉତ୍ସବରେ ସାମିଲ ହେବେ। ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ କୁଲ୍ଲୁ ଦଶହରା ଉତ୍ସବରେ ସାମିଲ ହେବାକୁ ଯାଉଛନ୍ତି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତରେ ଖବରଦାତାମାନେ ସାମିଲ ହେବାକୁ ହେଲେ ଏକ ଚରିତ୍ର ପ୍ରମାଣପତ୍ର ଦେବାକୁ ପଡ଼ିବ କହି ଜିଲା ପ୍ରଶାସନ ଏକ ନୂଆ ବିବାଦ ସୃଷ୍ଟି କରିଛି। କେବଳ ବେସରକାରୀ ମାଲିକାନା ପ୍ରିଣ୍ଟ, ଡିଜିଟାଲ କିମ୍ବା ଟିଭି ଖବରଦାତା ନୁହଁନ୍ତି ଅଲ୍‌ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନ ସମେତ ସରକାରୀ ଗଣମାଧ୍ୟମ ପ୍ରତିନିଧୀଙ୍କୁ ମଧ୍ୟ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ କୁହାଯାଇଛି। ଏନେଇ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ସେପ୍ଟେମ୍ବର ୨୯ରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଜିଲା ଜନସମ୍ପର୍କ ଅଧିକାରୀ (ଡିଆରପିଓ) ଏକ ବିଜ୍ଞପ୍ତି ଜାରି କରି ସମସ୍ତ ପ୍ରେସ ସମ୍ବାଦଦାତା, ଫଟୋଗ୍ରାଫର, ଭିଡିଓଗ୍ରାଫର, ଦୂରଦର୍ଶନ କେନ୍ଦ୍ର ଏବଂ ଏଆଇଆର ଟିମ୍‌ ସେମାନଙ୍କ ଚରିତ୍ର ପ୍ରମାଣପତ୍ର ସହିତ ତାଲିକା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

Share