ଅହମ୍ମଦାବାଦ,୨।୧୨: ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ପ୍ରଚାର ଜୋରସୋରରେ ଚାଲିଛି। ଇତିମଧ୍ୟରେ ଶୁକ୍ରବାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ ଶୋ’ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ ଶୋ’ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଛି। ଏହି ରୋଡ ଶୋ’ ଗୁଜରାଟର ୩ଟି ବିଧାନସଭା ଦରିଆପୁର, ଜମାଲପୁର, ବାପୁ ନାଗର ଦେଇ ଗତି କରିବ। ଅହମ୍ମଦାବାଦର ସରସପୁରର ବିକ୍ରମ ମିଲ କମ୍ପାଉଣ୍ଡରେ ଆୟୋଜିତ ହୋଇଥିବା ଏକ ଜନସଭା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏକ ରୋଡ ଶୋ’ କରୁଛନ୍ତି। ଏହି ରୋଡ ଶୋ’ ଅହମ୍ମଦାବାଦ ବିମାନବନ୍ଦରରୁ ଆରମ୍ଭ ହୋଇଥିବା ବେଳେ ସରସପୁର ପର୍ଯ୍ୟନ୍ତ ପ୍ରାୟ ୨୦କିଲୋମିଟର ଦୂର ପର୍ଯ୍ୟନ୍ତ ଗତି କରିବ। ଇତିମଧ୍ୟରେ ମୋଦି ମା’ ଭଦ୍ରକାଳିଙ୍କ ମନ୍ଦିରରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ମୋଦି ସର୍କିଟ ହାଉସରୁ ସଡ଼କ ମାର୍ଗରେ ସଭା ସ୍ଥଳକୁ ଯିବେ। ଏହି ସମୟରେ ବହୁ ସଂଖ୍ୟାରେ ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାସ୍ତାରେ ଅଭିବାଦନ ଜଣାଉଛନ୍ତି।