Categories: ଜାତୀୟ

ଡବ୍ଲୁଏଚ୍‌ଓ ମୁଖ୍ୟଙ୍କ ନୂଆ ନାମକରଣ କଲେ ମୋଦି

ଗାନ୍ଧିନଗର,୨୦।୪: ଗୁଜରାଟରେ ୩ ଦିନିଆ ବିଶ୍ୱ ଆୟୁଶ ଇନଭେଷ୍ଟମେଣ୍ଟ ଓ ଇନୋଭେସନ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀରେ ଯୋଗ ଦେବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)ର ନିର୍ଦ୍ଦେଶକ ଟେଡ୍ରୋସ ଗେବ୍ରେଏସସ୍‌ ଆସିଛନ୍ତି। ଏହି ଅବସରରେ ମୋଦି ଟେଡ୍ରୋସଙ୍କୁ ‘ତୁଳସୀ ଭାଇ’ ଭାବେ ନାମିତ କରିଛନ୍ତି। ଏହା ଏକ ଗୁଜରାଟୀ ନାମ।
ମୋଦି କହିଛନ୍ତି, ହୁ’ର ମୁଖ୍ୟ ଟେଡ୍ରୋସ ମୋର ଜଣେ ଭଲ ବନ୍ଧୁ। ସେ ସବୁବେଳେ ମୋତେ କୁହନ୍ତି ଯେ ତାଙ୍କୁ ଭାରତୀୟ ଶିକ୍ଷକମାନେ ପଢାଇଛନ୍ତି। ଭାରତୀୟ ଶିକ୍ଷକଙ୍କ ଯୋଗୁ ସେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ପାଇଁ ମୁଁ କିଛି ନାଁ ଠିକ କରିଛି କି ସେ ମୋତେ ପ୍ରଶ୍ନ କରିଥିଲେ। ମୁଁ ତାଙ୍କ ନାଁ ତୁଳସୀ ଭାଇ ଦେଇଥିଲି। ତୁଳସୀ ଏମିତି ଏକ ଗଛ, ଯାହାକୁ ଆଧୁନିକ ପିଢି ଭୁଲି ଗଲେଣି। ତେଣୁ ମୁଁ ଆପଣଙ୍କୁ ତୁଳସୀ ଭାଇ ବୋଲି ଡାକିବି। ଏହା ଶୁଣି ଟେଡ୍ରୋସ ମଧ୍ୟ ହସିଥିଲେ।
ଏହି କାର୍ଯ୍ୟକ୍ରମରେ ଟେଡ୍ରୋସଙ୍କ ବ୍ୟତୀତ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ ମଧ୍ୟ ଉପସ୍ଥିତ ରହିଥିଲେ। ଭାରତରେ ପାରମ୍ପରିକ ମେଡିସିନ ଓ ଚିକିତ୍ସା ପାଇଁ ଆଗ୍ରହୀ ଥିବା ବିଦେଶୀ ନାଗରିକଙ୍କ ପାଇଁ ଖୁବଶୀଘ୍ର ଆୟୁଶ ଭିସା ଆରମ୍ଭ କରାଯିବ ବୋଲି ମୋଦି ଘେଷଣା କରିଛନ୍ତି।

 

Share