Categories: ଜାତୀୟ

ଯୁଗ ବଦଳିଯାଏ କିନ୍ତୁ ବିଶ୍ୱାସ ଚିରସ୍ଥାୟୀ

ଗାନ୍ଧୀନଗର,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜରାଟ ଗସ୍ତରେ ଅଛନ୍ତି। ମା’ଙ୍କ ୧୦୦ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଇ ପଙ୍କଜ ମୋଦିଙ୍କ ଘରେ ପହଞ୍ଚି ମାଆଙ୍କଠାରୁ ଆଶୀର୍ବାଦ ନେଇଛନ୍ତି। ଏହାପରେ ସେ ପାଓ୍ବାଗଡ଼ର ପାହାଡରେ ପୁନଃନିର୍ମାଣ ହୋଇଥିବା ମା’କାଳିକାଙ୍କ ମନ୍ଦିରର ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ବହୁ ଦିନ ପରେ ଶନିବାର ପାଓ୍ବାଗଡ଼ ମନ୍ଦିରରେ ପୁଣି ଥରେ ମନ୍ଦିର ଶିଖର ଉପରେ ପତାକା ଉତ୍ତୋଳନ କରାଯାଇଛି ବୋଲି ମୋଦି କହିଛନ୍ତି। ଏଥିସହ ସେ କହିଛନ୍ତି, ଏହି ଶିଖର ପତାକା କେବଳ ଆମର ବିଶ୍ୱାସ ଏବଂ ଆଧ୍ୟାତ୍ମିକତାର ପ୍ରତୀକ ନୁହେଁ। ଏହି ଶିଖର ପତାକା ଏହା ମଧ୍ୟ ଦଶାଉଛି ଯେ, ଶତାବ୍ଦୀ ବଦଳିଥାଏ, ଯୁଗ ମଧ୍ୟ ବଦଳିଥାଏ କିନ୍ତୁ ବିଶ୍ୱାସର ଶିଖର ଶାସ୍ବତ ଓ ଚିରନ୍ତନ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଆଜି ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଗୌରବ ପୁଣି ପ୍ରତିଷ୍ଠିତ ହେଇଛି ବୋଲି ସେ କହିଛନ୍ତି। ଆଜିର ନୂଆ ଭାରତ ନିଜର ଆଧୁନିକ ଆକାଂକ୍ଷା ସହିତ ଏହାର ପ୍ରାଚୀନ ଐତିହ୍ୟ ଏବଂ ପ୍ରାଚୀନ ପରିଚୟକୁ ପ୍ରବଳ ଆଗ୍ରହ ଓ ଉତ୍ସାହ ଭରିଦେଇଛି। ପ୍ରତ୍ୟେକ ଭାରତୀୟ ଏହା ଉପରେ ଗର୍ବ କରୁଛନ୍ତି। ପୂର୍ବରୁ ପାଓ୍ବାଗଡ଼ ଯାତ୍ରା କରିବା କଷ୍ଟସାଧ୍ୟ ଥିଲା କିନ୍ତୁ ଏବେ ଶିଶୁ, ଯୁବକ, ବୃଦ୍ଧ, ଦିବ୍ୟାଙ୍ଗ ସହଜରେ ମା’ଙ୍କ ଦର୍ଶନ କରିପାରିବେ ବୋଲି ମୋଦି ନିଜ ଭାଷଣରେ କହିଛନ୍ତି।

Share