Categories: ଜାତୀୟ

ଆତଙ୍କ ଦ୍ୱାରା ବିଶ୍ୱାସକୁ ଭାଙ୍ଗି ଦିଆଯାଇ ନ ପାରେ: ମୋଦି

ଅହମଦାବାଦ,୨୦ ।୮: ଗୁଜରାଟର ଐତିହାସିକ ସୋମନାଥ ମନ୍ଦିରକୁ ବଡ ଉପହାର ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମନ୍ଦିରରେ ଅନେକ ଗୁଡିଏ ଯୋଜନାର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ସୋମନାଥ ସମୁଦ୍ର ଦର୍ଶନ, ପାଦଚଲା ପଥ, ସୋମନାଥ ପ୍ରଦର୍ଶନୀ କେନ୍ଦ୍ର ଓ ନବୀକରଣ ହୋଇଥିବା ଅହିଲ୍ୟାବାଇ ହୋଲକର ମନ୍ଦିରର ଉଦ୍‌ଘାଟନ କରିଛନ୍ତି । ଏହାସହ ପାର୍ବତୀ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ପାର୍ବତୀ ମନ୍ଦିର ଧଳା ପଥରରେ ନିର୍ମାଣ କରାଯିବ ଓ ଏହାର ଉଚ୍ଚତା ୭୧ ଫୁଟ ରହିବ ବୋଲି ଜଣାପଡିଛି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ମୋଦି କହିଛନ୍ତି ଶ୍ରାବଣ ମାସରେ ବଡ ଆରମ୍ଭ ହୋଇଛି । ସେ କହିଛନ୍ତି ବିଶ୍ୱାସକୁ ଆତଙ୍କ ଦ୍ୱାରା ନଷ୍ଟ କରାଯାଇ ନ ପାରେ । ସୋମନାଥ ମନ୍ଦିର ଆମ ବିଶ୍ୱାସର ପ୍ରତିକ । ସେ କହିଛନ୍ତି ସୋମନାଥ ମନ୍ଦିରର ଅସ୍ତିତ୍ୱକୁ ମାଟିରେ ମିଶାଇବାକୁ ବହୁବାର ଚେଷ୍ଟା କରାଯାଇଛି । ମନ୍ଦିରକୁ ଯେତେଥର ନଷ୍ଟ କରାଯାଇଛି ସେ ସେତେଥର ଉଠି ଠିଆ ହୋଇଛି । ଆତଙ୍କ ବହୁସମୟ ପର୍ଯ୍ୟନ୍ତ ମାନବତାକୁ ନଷ୍ଟ କରି ନ ପାରେ । ଆତଙ୍କର ଅସ୍ଥିତ୍ୱ କେବେ ସ୍ଥାୟି ନୁହେଁ । ବିଶ୍ୱ ଆଜିବି ଆତଙ୍କର ବିଚାରଧାରାରେ ପିଡ଼ିତ । ସମୃଦ୍ଧ ଭାରତର ପ୍ରତିକ ହେଉିଛ ସୋମନାଥ ମନ୍ଦିର । ମୋଦି କହିଛନ୍ତି ଦେଶର ମୂଳ ସ୍ୱଭାବ ହେଲା ସବକା ସାଥ ସବକା ବିକାଶ ।

Share