Categories: ଜାତୀୟ

ଶରଦ ପାୱାର ନୁହନ୍ତି ଆଦାନୀଙ୍କୁ ସୁରକ୍ଷା ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ରାହୁଲ…

ନୂଆଦିଲ୍ଲୀ,୧୮।୧୦ : କୋଇଲା ମୂଲ୍ୟ ଉପରେ ଫାଇନାନସିଆଲ ଟାଇମ୍ସ ରିପୋର୍ଟ ଆସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବୁଧବାର ରାହୁଲ ଖବରଦାତାଙ୍କୁ କହିଛନ୍ତି ବ୍ୟବସାୟୀ ଗୌତମ ଆଦାନୀ କୋଇଲାର ଭୁଲ ମୂଲ୍ୟ ଦେଖାଇ ଏବଂ ବିଲ ଜାଲିଆତି କରି ବିଦ୍ୟୁତ ମୂଲ୍ୟ ବୃଦ୍ଧି କରିଛନ୍ତି। ଆଦାନୀ ଜନସାଧାରଣଙ୍କପକେଟରୁ ସିଧାସଳଖ ୧୨ ହଜାର କୋଟି ଟଙ୍କା ନେଇଛନ୍ତି।

ଖବରଦାତା ରାହୁଲ ଗାନ୍ଧୀଙ୍କୁ ପଚାରିଥିଲେ ସେ କାହିଁକି ଏହି ପ୍ରଶ୍ନକୁ ଶରଦ ପାୱାରଙ୍କୁ ପଚାରୁ ନାହାନ୍ତି। ସେ ଇଣ୍ଡିଆ ମିଳିତ ମେଣ୍ଟର ବିରୋଧ ସତ୍ତ୍ୱେ ଆଦାନୀଙ୍କୁ ଭେଟିଥିଲେ। ଏହି ପ୍ରଶ୍ନ ଉପରେ ରାହୁଲ କହିଛନ୍ତି ସେ ବର୍ତ୍ତମାନ ପର୍ଯ୍ୟନ୍ତ ଶରଦ ପାୱାରଙ୍କୁ କୌଣସି ପ୍ରଶ୍ନ ପଚାରି ନାହାନ୍ତି। ଏହା ପଛର କାରଣ ହେଉଛି ଶରଦ ପାୱାର ପ୍ରଧାନମନ୍ତ୍ରୀ ନୁହନ୍ତି।

ଫାଇନାନସିଆଲ ଟାଇମ୍ସର ରିପୋର୍ଟରେ ଦାବି କରାଯାଇଛି ଆଦାନୀଙ୍କ କମ୍ପାନୀ କମ ମୂଲ୍ୟରେ କୋଇଲା କିଣି ଏହାର ମୂଲ୍ୟ ଅଧିକ ଘୋଷଣା କରିଛି। ରଶରଦ ପାୱାର ଆଦାନୀଙ୍କୁ ସୁରକ୍ଷା ପ୍ରଦାନ କରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି। ସେଥିପାଇଁ ମୁଁ ଶରଦ ପାୱାରଙ୍କୁ ନୁହେଁ ବରଂ ପିଏମ ମୋଦିଙ୍କୁ ପ୍ରଶ୍ନ ପଚାରୁଛି। ଯଦି ଶରଦ ପାୱାର ପ୍ରଧାନମନ୍ତ୍ରୀ ହୁଅନ୍ତି ଏବଂ ଆଦାନୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରନ୍ତି, ମୁଁ ତାଙ୍କୁ ସମାନ ପ୍ରଶ୍ନ ପଚାରିବି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠିଛି।

ଯେତେବେଳେ ଦେଶର ସାଧାରଣ ଲୋକେ ଫ୍ୟାନ ଏବଂ ଲାଇଟ ଜଳାନ୍ତି ସେତେବେଳେ ଟଙ୍କା ସିଧାସଳଖ ଆଦାନୀଙ୍କ ପକେଟକୁ ଯାଏ। କୋଇଲା କ୍ରୟ ଏବଂ ବିକ୍ରିରେ ଆଦାନୀ ଅତ୍ୟଧିକ ଇନଭଏସ କରିଛନ୍ତି। ବିଦେଶୀ ଖବରକାଗଜ ଫାଇନାନସିଆଲ ଟାଇମ୍ସର ରିପୋର୍ଟକୁ ଦର୍ଶାଇ ରାହୁଲ ଗାନ୍ଧୀ କହିଛନ୍ତି ଏହା ବିଦ୍ୟୁତ ଚୋରିର ପ୍ରତ୍ୟକ୍ଷ ମାମଲା। ଆଦାନୀଙ୍କ ସହ କ’ଣ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଭାରତ ସରକାର ତାଙ୍କ ଉପରେ କୌଣସି ତଦନ୍ତ କରିପାରିବେ ନାହିଁ। କୌଣସି ପ୍ରଶ୍ନ ପଚାରି ପାରିବେ ନାହିଁ । ଏହା ପଛରେ ଥିବା ଶକ୍ତି ବିଷୟରେ ସମଗ୍ର ଦେଶ ଜାଣିଛି।

ସୂଚନାଯୋଗ୍ୟ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଶିଳ୍ପପତି ଆଦାନୀଙ୍କ ବୈଠକ ମହାରାଷ୍ଟ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଥିଲା। ଶରଦ ପାୱାର ଏବଂ ଆଦାନୀଙ୍କ ମଧ୍ୟରେ ଏହି ସାକ୍ଷାତ ଅହମଦାବାଦରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟ ଉପରେ ପ୍ରଶ୍ନ ଉଠା ଯାଇଥିଲା।

Share