Categories: ଜାତୀୟ

ମୋଦି ହେଉଛନ୍ତି କୃଷକଙ୍କ ପ୍ରକୃତ ଶୁଭଚିନ୍ତକ: ଶାହା

ନୂଆଦିଲ୍ଲୀ,୨୫ ।୧୨: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି କୃଷକଙ୍କ ପ୍ରକୃତ ଶୁଭଚିନ୍ତକ । ମେହରାଉଲିରେ ଏକ ଜନସଭାକୁ ଉଦ୍‌ବୋଧନ ଦେବା ଅବସରରେ ଶାହା କହିଛନ୍ତି ବିରୋଧୀ ମିନିମମ ସପୋର୍ଟ ପ୍ରାଇସ୍‌(ଏମ୍‌ଏସ୍‌ପି)କୁ ନେଇ କୃଷକଙ୍କୁ ଭୁଲ ବାଟ ଦେଖାଉଛି । ତେଣୁ ଏମ୍‌ଏସ୍‌ପି ରହିବ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ୩ କୃଷି ଆଇନ ମଧ୍ୟ କୃଷକଙ୍କ ସପକ୍ଷରେ ବୋଲି ଶାହା କହିଛନ୍ତି । କେହି ଏମ୍‌ଏସ୍‌ପି ଉଠାଇ ଦେଇ ପାରିବେ ନାହି କି କୃଷକଙ୍କ ଜମି କେହି ନେଇ ପାରିବେ ନାହିଁ । ମୋଦି କୃଷକଙ୍କ ଶୁଭଚିନ୍ତକ ହୋଇଥିବାରୁ ଗତ ଅଢେଇ ବର୍ଷ ମଧ୍ୟରେ ୧୦ କୋଟି କୃଷକଙ୍କ ଜମା ଖାତାରେ ୯୫ ହଜାର କୋଟି ଟଙ୍କା ସିଧାସଳଖ ଭାବେ ଜମା କରି ସାରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାରେ ମୋଦି ପୁଣିଥରେ ୯କୋଟି କୃଷକଙ୍କ ଖାତାକୁ ୧୮ ହଜାର କୋଟି ଟଙ୍କା ଦେଇଛନ୍ତି । ଯାହା ଉପା ସରକାର ଅମଳରେ କୃଷକଙ୍କ ପାଇଁ କରାଯାଇଥିଲା ତା’ଠାରୁ ନରେନ୍ଦ୍ର ମୋଦି କୃଷକଙ୍କ ପାଇଁ ବହୁଗୁଣାରେ ସାହାଯ୍ୟ କରିଛନ୍ତି ବୋଲି ଶାହା କହିଛନ୍ତି ।

Share