ୟୁରୋପୀୟ ୟୁନିୟନ ନେତାଙ୍କୁ ଭେଟିଲେ ମୋଦି

ରୋମ୍‌, ୨୯।୧୦: ଜି ୨୦ ସମିଟ୍‌ରେ ଯୋଗଦେବା ପାଇଁ ଦୁଇଦିନିଆ ଇଟାଲୀ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ୟୁରୋପୀୟ ୟୁନିୟନ(ଇୟୁ)ର ଶୀର୍ଷ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବାଣିଜ୍ୟ, ସଂସ୍କୃତି ଓ ପରିବେଶ ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଏବଂ ଇୟୁ ମଧ୍ୟରେ ସମ୍ପର୍କ ବଢ଼ାଇବା ଉପରେ ଆଲୋଚନା ହୋଇଥିଲା। ଏହା ବ୍ୟତୀତ କୋଭିଡ୍‌-୧୯ ଓ ଅନ୍ୟାନ୍ୟ ବିଶ୍ୱ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା।
ପ୍ରଧାନମନ୍ତ୍ରୀ ରୋମ୍‌ରେ ପହଞ୍ଚତ୍ବା ପରେ ସେଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପରେ ସେ ୟୁରୋପୀୟ କାଉନସିଲ୍‌ ଅଧ୍ୟକ୍ଷ ଚାର୍ଲସ୍‌ ମିଚେଲ ଏବଂ ୟୁରୋପୀୟ କମିଶନ୍‌ ଅଧ୍ୟକ୍ଷ ଉର୍ସୁଲା ଭନ୍‌ ଡେର୍‌ ଲେୟେନଙ୍କୁ ଭେଟି ଆଲୋଚନା କରିଥିଲେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରାଯାଇଛି। ପରିବେଶକୁ ପ୍ରଦୂଷଣମୁକ୍ତ କରିବାରେ ଭାରତର ପ୍ରମୁଖ ଭୂମିକା ରହିଥିବା ୟୁରୋପୀୟ ପରିଷଦ ଅଧ୍ୟକ୍ଷ ମିଚେଲ କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ଓ ମହାମାରୀ ମୁକାବିଲା, ଆଫଗାନିସ୍ତାନ ସ୍ଥିତି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସମ୍ପର୍କରେ ଭାରତ ଏବଂ ଇୟୁ ମଧ୍ୟରେ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି।

Share