Categories: ଜାତୀୟ

ମୁଁ ଜନତାଙ୍କ ଜଣେ ସେବକ: ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ,୨୧।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ନିର୍ବାଚନୀ ରାଲିରେ ବିଭିନ୍ନ ଦଳ ପକ୍ଷରୁ ବାକ୍‌ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ମଧୁସୂଦନ ମିସ୍ତ୍ରୀଙ୍କ ‘ଔକାତ’ ବିବୃତ୍ତିକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି। ଗୁଜରାଟରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ କହିଛି ଯେ ମୋଦିଙ୍କୁ ତାଙ୍କ ‘ଔକାତ’ ଦେଖାଇ ଦେବୁ। ଏହା ଅହଂକାର ଭିତ୍ତିକ ଶବ୍ଦ। କଂଗ୍ରେସ ରାଜ ପରିବାରର, ମୁଁ ସାଧାରଣ ପରିବାରର, ମୁଁ ଜନତାଙ୍କ ସେବକ। ମୋର କୌଣସି ‘ଔକାତ’ ନାହିଁ।
କଂଗ୍ରେସ ଉପରେ ଆକ୍ରମଣ ଜାରି ରଖି ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ତୁମେ ମୋତେ ଦୁର୍ଦ୍ଦାନ୍ତ, ନିମ୍ନ ଜାତି, ମଇଳା ଡ୍ରେନ ପୋକ ବୋଲି କହିଛ, ତୁମେ ଯାହା କହିବାକୁ ଚାହୁଁଛ କୁହ। କିନ୍ତୁ ବିକାଶର କଥା କୁହ। ଗୁଜରାଟକୁ ବିକଶିତ କରିବାକୁ ଆଗେଇ ଆସ।
ସୂଚନାଯୋଗ୍ୟ, ଗୁଜରାଟ ବିଧାନସଭାର ୧୮୨ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୧ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୫ ଡିସେମ୍ବରରେ ହେବାକୁ ଯାଉଛି। ଡିସେମ୍ବର ୮ ଫଳାଫଳ ଆସିବ।

Share