Categories: ଜାତୀୟ

‘ମୋର ବଜରଙ୍ଗ ବାଲି ବୟାନକୁ ନେଇ… କମ୍ପୁଛି କଂଗ୍ରେସର ପାଦ’: ମୋଦି

ନୂଆଦିଲ୍ଲୀ,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି କଂଗ୍ରେସର ପାଦ କମ୍ପୁଛି। ସେ କହିଛନ୍ତି, ମୋର ବଜରଙ୍ଗ ବାଲି ବୟାନକୁ ନେଇ କଂଗ୍ରେସକୁ ସମସ୍ୟା ହୋଇଛି। ନିଜ ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ ଆତଙ୍କବାଦ ସାମ୍ନାରେ ନଇଁ ପଡିଛି। ଭୋଟ ବ୍ୟାଙ୍କ ପାଇଁ ଆଜି କଂଗ୍ରେସ ଆତଙ୍କବାଦକୁ ପାଳନ ପୋଷଣ କରୁଛି। ଆତଙ୍କବାଦ ଉପରେ ନିର୍ମିତ ଫିଲ୍ମକୁ କହୁଛି ଏହା ଗୋଟିଏ ରାଜ୍ୟର କାହାଣୀ ନୁହେଁ।

ସୂଚନାଯୋଗ୍ୟ, କର୍ନାଟକ ନିର୍ବାଚନକୁ ନେଇ କଂଗ୍ରେସ ତା’ର ଘୋଷଣା ପତ୍ରରେ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଇବା କଥା କହିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର କଂଗ୍ରେସକୁ ଟାର୍ଗେଟ କରି ଚାଲିଛନ୍ତି। ଶୁକ୍ରବାର ବଲ୍ଲାରୀରେ ଏକ ଜନସଭାକୁ ସାମ୍ବୋଧିତ କରି ମୋଦି କହିଛନ୍ତି, କଂଗ୍ରେସର ଘୋଷଣା ପତ୍ରରେ ବହୁତ ଅଧିକ ମିଛ ପ୍ରତିଶ୍ରୁତି ଦିଆଯାଇଛି। କଂଗ୍ରେସର ଘୋଷଣା ପତ୍ର ଅର୍ଥ ତାଲାବନ୍ଦି ଓ ତୁଷ୍ଟିକରଣର ବଣ୍ଡଲ। ଏବେ ତ କଂଗ୍ରେସର ଅବସ୍ଥା ଏତେ ଖରାପ ଯେ ତା’ର ଗୋଡ ଥରୁଛି। ଆଉ ଏବେ ମୁଁ ଯେତେବେଳେ ବଜରଙ୍ଗ ବାଲି କହୁଛି କଂଗ୍ରେସ ସେତେବେଳେ ଆପତ୍ତି କରୁଛି।
ମୋଦି ଆହୁରି ମଧ୍ୟ କହିଛନ୍ତି, ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ ଆତଙ୍କବାଦ ନିକଟରେ ମୁଣ୍ଡ ନୁଆଇଁ ଦେଉଛି। ତେଣୁ ଏମିତି ଦଳ କର୍ନାଟକର ରକ୍ଷା କେମିତି କରିବ ବୋଲି ମୋଦି ପ୍ରଶ୍ନ କରିଛନ୍ତି।

Share