ନୂଆଦିଲ୍ଲୀ,୧୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେକ୍ସ ଫ୍ରିଡମ୍ୟାନ ପଡକାଷ୍ଟରେ କ୍ରିକେଟ ଫିଲ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତୀବ୍ରତା ସମ୍ପର୍କରେ ନିଜ ମତାମତ ରଖିଛନ୍ତି। ଏଥିରେ ସେ କହିଛନ୍ତି ଖେଳୁଆଡ଼ ମନୋଭାବ ବିଭିନ୍ନ ଦେଶର ଲୋକଙ୍କୁ ଏକତ୍ରିତ କରେ। ଏଥିଯୋଗୁ କ୍ରୀଡ଼ାର ଶ୍ରେୟକୁ ଛଡ଼ାଇ ନେବାକୁ ମୁଁ କଦାପି ଚାହେଁ ନାହିଁ। ମୁଁ ବିଶ୍ୱାସ କରେ ଯେ, ମାନବ ବିକାଶରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କ୍ରୀଡ଼ା କେବଳ ଏକ ଖେଳ ନୁହେଁ, ଏହା ଲୋକଙ୍କୁ ଲୋକଙ୍କ ସହିତ ଯୋଡ଼େ।
କେଉଁ ଦଳ ଶ୍ରେଷ୍ଠ ବୋଲି ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯେତେବେଳେ ଖେଳର ଟେକନିକ୍ କଥା ଉଠେ, ସେଥିରେ ମୁଁ ବିଶେଷଜ୍ଞ ନୁହେଁ। ଯେଉଁମାନେ ଏଥିରେ ବିଶେଷଜ୍ଞ, ସେମାନେ ହିଁ କହିପାରିବେ ଯେ, କେଉଁ ଦଳ କିମ୍ବା କିଏ ଶ୍ରେଷ୍ଠ ଖେଳାଳି। କିନ୍ତୁ ବେଳେବେଳେ ପରିମାଣ ଏହା ପ୍ରକାଶ କରେ। କିଛି ଦିନ ତଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ମ୍ୟାଚର ପରିମାଣରୁ କିଏ ଭଲ ଦଳ ଜଣାପଡ଼ିଥିଲା।
ସେହିପରି ସର୍ବକାଳୀନ ଫୁଟବଲରଙ୍କ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ସେ ଉତ୍ତରରେ କହିଛନ୍ତି ଯେ, ଭାରତର ଅନେକ ଅଞ୍ଚଳରେ ଦୃଢ଼ ଫୁଟବଲ ପରମ୍ପରା ରହିଛି। ଆମର ମହିଳା ଫୁଟବଲ ଖୁବ ଭଲ ପ୍ରଦର୍ଶନ କରୁଛି ଏବଂ ଆମ ପୁରୁଷ ଦଳର ଭଲ ଅଗ୍ରଗତି ହେଉଛି। ଯଦି ଆମେ ଅତୀତ ସମ୍ପର୍କରେ କଥା ହେବା, ୧୯୮୦ ଦଶକରେ ଡିଏଗୋ ମାରାଡୋନାଙ୍କ ନାମ ଶୁଣିବାକୁ ମିଳୁଥିଲା। ସେହି ପିଢ଼ି ଲାଗି ସେ ଅସଲ ହିରୋ ଥିଲେ। ଯଦି ବର୍ତ୍ତମାନ ପିଢ଼ିର ମହାନ ଫୁଟବଲରଙ୍କ ସମ୍ପର୍କରେ କଥା ହେବା, ତେବେ ସମସ୍ତେ ଲିଓନେଲ ମେସିଙ୍କ ନାମ ନେବେ।