ନୀରଜ ଚୋପ୍ରା- ମନୁ ଭାକରଙ୍କ ଫ୍ୟାନ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଏମିତି…

ନୂଆଦିଲ୍ଲୀ,୧୬।୮: ପ୍ୟାରିସ ଅଲିମ୍ପିକ୍ସରୁ ଫେରିଥିବା ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଆଥଲେଟ୍‌ଙ୍କୁ ସମ୍ବୋଧିତ କରି ସମସ୍ତଙ୍କୁ ପ୍ରଶଂସା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନୀରଜ ଚୋପ୍ରା ଏବଂ ମନୁ ଭାକରଙ୍କ ବିଷୟରେ ପ୍ରେରଣାଦାୟକ ଶବ୍ଦ ମଧ୍ୟ କହିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ନୀରଜ ଏବଂ ମନୁ କିପରି ଇତିହାସ ସୃଷ୍ଟି କରିଛନ୍ତି ତାହା ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମନୁ ଭାକର ସ୍ବାଧୀନ ଭାରତର ପ୍ରଥମ ଆଥଲେଟ ହୋଇ ସମାନ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି। ଅଲିମ୍ପିକ୍ସର ୧୨୫ ବର୍ଷ ଇତିହାସରେ ଏ ପର୍ଯ୍ୟନ୍ତ ଏହା କେବେ ହୋଇ ନଥିଲା। ପ୍ୟାରିସ ଅଲିମ୍ପିକ୍ସର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ବ୍ରୋଞ୍ଜ ପଦକ ଏବଂ ସରବଜୋତ ସିଂଙ୍କ ସହ ମିଶି ୧୦ ମିଟର ଏୟାର ପିସ୍ତଲ ଦଳ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମଧ୍ୟ ନୀରଜ ଚୋପ୍ରାଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ନୀରଜ ଭାରତର ପ୍ରଥମ ଆଥଲେଟ ହୋଇଛନ୍ତି ଯିଏ ଏକକ ଇଭେଣ୍ଟରେ ଅଲଗା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତର ଜାଭେଲିନ ଥ୍ରୋ ତାରକା ନୀରଜ ସ୍ବର୍ଣ୍ଣ ପଦକ ଜିତିଥିଲେ।

ଏହା ବ୍ୟତୀତ ପିଏମ ମୋଦି ଭାରତୀୟ ହକି ଦଳକୁ ମଧ୍ୟ ପ୍ରଶଂସା କରିଛନ୍ତି। ୧୯୭୨ ପରଠାରୁ ଏହା ପ୍ରଥମ ଥର ଯେ ଆମର ହକି ଦଳ କ୍ରମାଗତ ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିଛି ବୋଲି ସେ କହିଛନ୍ତି। ଟୋକିଓରେ ହକି ଦଳ ଏବଂ ବର୍ତ୍ତମାନ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗର୍ବ ଆଣିଛି। ପ୍ରଧାନମନ୍ତ୍ରୀ ହକିରେ ପିଆର ଶ୍ରୀଜେଶଙ୍କ ଅବଦାନକୁ ପ୍ରଶଂସା କରିବା ସହ ଆଗାମୀ ଯୁବକମାନଙ୍କ ସହ ତାଙ୍କ ଅଭିଜ୍ଞତା ବାଣ୍ଟିବାକୁ ମଧ୍ୟ ଅନୁରୋଧ କରିଛନ୍ତି।

Share