Categories: ଜାତୀୟ

ମୁଖ୍ୟମନ୍ତ୍ରୀରୁ ପରିଚୟ, ପ୍ରଧାନମନ୍ତ୍ରୀ ପରେ ଗଭୀର ହେଲା ବନ୍ଧୁତ୍ୱ

ନୂଆଦିଲ୍ଲୀ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶୁକ୍ରବାର ପରଲୋକ ଘଟିଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମ୍ରିୟମାଣ ହୋଇ ଟୁଇଟ କରିିଛନ୍ତି। ସେ କହିଛନ୍ତି, ସିଞ୍ଜୋ ଆବେ ମୋର ଜଣେ ପ୍ରିୟ ବନ୍ଧୁ ଥିଲେ ତାଙ୍କ ଦେହାନ୍ତ ମୋତେ ଆଶ୍ଚର୍ଯ୍ୟ କରିଛି। ଏଥିସହ ମୋଦି ଦୁଃଖ ପ୍ରକାଶ କରି ବିଶ୍ୱ ଜଣେ ମହାନ ନେତାଙ୍କୁ ହରାଇଲା ବୋଲି କହିଛନ୍ତି। ଏପରିକି ଆବେ ନିଜ ଜୀବନକୁ ଜାପାନ ଏବଂ ବିଶ୍ୱବାସୀଙ୍କ ଉନ୍ନତି ପାଇଁ ଉତ୍ସର୍ଗୀକୃତ କରିଥିଲେ ବୋଲି ମୋଦି ଟୁଇଟରେ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆବେଙ୍କ ବିଶ୍ୱ ଅର୍ଥନୀତି ଉପରେ ପ୍ରଗାଢ଼ ଜ୍ଞାନ ଓ ତାଙ୍କର ତୀକ୍ଷଣ ଦୂରଦୃଷ୍ଟି ରହିଥିଲା। ଜାପାନ ଗସ୍ତ ଅବସରରେ ସିଞ୍ଜୋ ଆବେଙ୍କୁ ଅନେକ ଥର ଭେଟିବାର ସୁଯୋଗ ପାଇଛି। ସେ ସବୁବେଳେ ମଜାଳିଆ କଥା କହୁଥିଲେ। ମୁଁ ଜାଣି ନଥିଲି ଯେ, ଏହା ଆମର ଶେଷ ସାକ୍ଷାତକାର ହେବ। ତାଙ୍କ ପରିବାର ଏବଂ ଜାପାନବାସୀଙ୍କୁ ହୃଦୟରୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥିସହ ମୋଦି କହିଛନ୍ତି, ଆବେଙ୍କ ସହ ମୋର ସହଭାଗିତା ବହୁ ବର୍ଷ ପୁରୁଣା। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଆବେଙ୍କ ସହ ପରିଚୟ ହୋଇଥିଲା। ତେବେ ସମୟକ୍ରମେ ପ୍ରଧାନମନ୍ତ୍ରୀ ହେବା ପରେ ଏହି ସମ୍ପର୍କ ବନ୍ଧୁତ୍ୱର ନିବିଡ଼ ରୂପ ନେଇଥିଲା। ଆଜି ସମଗ୍ର ଭାରତ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରୁଥିବା ବେଳେ ଏହି କଷ୍ଟ ସମୟରେ ଭାରତ ଜାପାନବାସୀଙ୍କ ସହ ଛିଡ଼ା ହୋଇଛି ବୋଲି ମୋଦି କହିଛନ୍ତି।

 

 

Share