Categories: ଜାତୀୟ

ୟୁପି ପରେ ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ଗୁଜୁରାଟ

ଅହମଦାବାଦ,୧୧।୩: ୫ଟି ରାଜ୍ୟ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍‌ରେ ରହିଛି ଗୁଜରାଟ। ଚଳିତ ବର୍ଷ ଶେଷରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଏହାପୂର୍ବରୁ ଭାଜପା ନିଜର ଅଣ୍ଟା ଭିଡ଼ିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଗୃହ ରାଜ୍ୟ ଗୁଜୁରାଟର ଦୁଇ ଦିନିଆ ଗସ୍ତରେ ଅଛନ୍ତି। ଶୁକ୍ରବାର ଅହମଦାବାଦରେ ମୋଦି ଏକ ମେଗା ରୋଡ ଶୋ’ କରିଛନ୍ତି। ଅହମଦାବାଦର ବିମାନବନ୍ଦରରୁ ଭାଜପା କାର୍ଯ୍ୟାଳୟ ପର୍ଯ୍ୟନ୍ତ ମୋଦି ଏହି ରୋଡ ଶୋ’ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧୀଙ୍କ ଏକ ରାଲିକୁ ସମ୍ବୋଧିତ କରିଥିଲେ। ଅହମ୍ମଦାବାଦର ଜିଏମଡିସି ପଡ଼ିଆରେ ମହା-ପଞ୍ଚାୟତ ସମ୍ମିଳନୀରେ ମୋଦି ସାମିଲ ହୋଇ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି, ଏହା ବାପୁଙ୍କ ଦେଶ, ଏହା ହେଉଛି ସର୍ଦ୍ଦାର ପଟେଲଙ୍କ ଦେଶ। ବାପୁ ସବୁବେଳେ ଗ୍ରାମୀଣ ବିକାଶ, ଆତ୍ମନିର୍ଭରଶୀଳ ଗ୍ରାମ, ସଶକ୍ତ ଓ ଦକ୍ଷ ଗାଁର କଥା କହୁଥିଲେ। ଯେତେବେଳେ ଆମେ ସ୍ବାଧୀନତାର ଅମୃତ ସମୟ ପାଳନ କରୁଛୁ ସେତେେବେଳ ପୂଜ୍ୟ ବାପୁଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଆମେ ପ୍ରତିବଦ୍ଧ। ଗ୍ରାମ ସ୍ବରାଜର ସ୍ବପ୍ନକୁ ପୂରଣ କରିବା ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବ୍ୟବସ୍ଥାକୁ ଦିଗ ଦେଖେଇବା କାର୍ଯ୍ୟ ସମସ୍ତ ପ୍ରତିନିଧୀ, ସରପଞ୍ଚ କରୁଛନ୍ତି ବୋଲି ମୋଦି କହିଛନ୍ତି।

Share