Categories: ଜାତୀୟ

୩ ବଡ଼ ଅର୍ଥବ୍ୟବସ୍ଥାରେ ସାମିଲ ହେବ ଭାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟଧିକ ଆତ୍ମବିଶ୍ୱାସରେ କହିଛନ୍ତି ଯେ, କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ତାଙ୍କ ସରକାର ରହିବ ଏବଂ ତାଙ୍କର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ତିନୋଟି ବଡ ଅର୍ଥନୀତିରେ ସାମିଲ ହେବ। ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଟୁଇଟ୍‌ରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ପଞ୍ଚମ ଅର୍ଥନୀତି, ଆମେ ଏଥିପାଇଁ ଗର୍ବିତ। କିନ୍ତୁ ସେ କହିଛନ୍ତି , ମୁଣ୍ଡପିଛା ଆୟ କ୍ଷେତ୍ରରେ ଭାରତ ବିଶ୍ୱରେ ୧୨୮ ତମ ସ୍ଥାନରେ ରହିଛି, ଏବଂ ଆମେ ଏହା ବିଷୟରେ ଆଲୋଚନା କରିବା ଉଚିତ୍‌ କାରଣ ସମୃଦ୍ଧତା ମାପିବା ପାଇଁ ଏହା ସର୍ବୋତ୍ତମ ଉପାୟ।

ପ୍ରଗତି ମଇଦାନ ଉଦ୍‌ଘାଟନ ପରେ ସେଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି , ୨୦୧୪ରେ ଯେତେବେଳେ କେନ୍ଦ୍ରରେ ପ୍ରଥମ ଥର ପାଇଁ ତାଙ୍କ ସରକାର ଗଠନ ହୋଇଥିଲା, ସେତେବେଳେ ବିଶ୍ୱର ବୃହତ ଅର୍ଥନୀତି ଦୃଷ୍ଟିରୁ ଭାରତ ଦଶମ ସ୍ଥାନରେ ଥିଲା। ସେ କହିଛନ୍ତି , ୨୦୧୯ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ ତାଙ୍କ ସରକାର ଗଠନ କରାଯାଇଥିଲା ତେଣୁ ବର୍ତ୍ତମାନ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଟ୍ରାକ ରେକର୍ଡ ଆଧାରରେ ସେ ଦେଶକୁ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ତାଙ୍କ ସରକାରର ତୃତୀୟ କାର୍ଯ୍ୟକାଳରେ ଭାରତକୁ ବିଶ୍ୱର ତିନୋଟି ବଡ ଅର୍ଥନୀତିରେ ସାମିଲ କରାଯିବ।

Share