ସମସ୍ତ ଦେଶବାସୀଙ୍କୁ ମିଳିବ କରୋନା ଟିକା: ମୋଦି

ନୂଆଦିଲ୍ଲୀ,୨୯ ।୧୦: କରୋନା ଭାଇରସ ସଂକ୍ରମଣ ଦେଶଠାରୁ ବିଦେଶ ପର୍ଯ୍ୟନ୍ତ ସବୁଠାରେ ବୃ୍‌ଦ୍ଧି ପାଇବାରେ ଲାଗିଛି । ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟା ୮୦ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଏହି କରୋନା ମହାମାରୀକୁ ଦୂରେଇବା ପାଇଁ ଅଧିକାଂଶ ଦେଶରେ ଏହାର ଟିକାକରଣ ଉପରେ କାମ ଚାଲିଛି । ଭାରତ ମଧ୍ୟ ଏଥିରେ ପଛରେ ପଡିନାହିଁ । ଏବେ ଏହି କରୋନା ଟିକାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଦେଶରେ କରୋନା ଟିକା ଉପଲବ୍ଧ ହେଲେ ଏହା ସମସ୍ତ ଭାରତୀୟଙ୍କୁ ମିଳିବ । କୌଣସି ଭାରତୀୟ ଏଥିରୁ ବଞ୍ଚିତ ହେବ ନାହିଁ ବୋଲି ମୋଦି କହିଛନ୍ତି । ଏକ ଇଂରାଜୀ ଖବରକାଗଜ ସହ ହୋଇଥିବା ସ୍ୱତନ୍ତ୍ର ସାକ୍ଷାତ୍‌କାରରେ ମୋଦି ଏହା କହିଛନ୍ତି । ସେ ଆହୁରି ମଧ୍ୟ କରିଛନ୍ତି କରୋନା ମହାମାରୀକୁ ନେଇ ସରକାର ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେଇଛନ୍ତି ଓ ଦେଶବାସୀ ଏଥିରେ ସହଯୋଗ କରିଥିବାରୁ ଅନେକଙ୍କ ଜୀବନ ବଞ୍ଚଯାଇଛି । ହେଲେ ଏବେବି କରୋନା ସଂକ୍ରମଣ ଭୟ ଯାଇ ନ ଥିବାରୁ ଲୋକେ ସତର୍କ ଓ ସଚେତନ ରହିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କିନ୍ତୁ କରୋନା ଟିକା ଆସିବା ପରେ ଏହା ପ୍ରଥମେ କରୋନା ସହ ସିଧାସଳଖ ଲଢୁଥିବା ଆଗଧାଡିର ଯୋଦ୍ଧାଙ୍କୁ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

Share