ଚଣ୍ଡିଗଡ଼,୨୧ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ପଞ୍ଜାବ ସରକାର ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସରକାର ତତ୍କାଳିନ ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ, ଫିରୋଜପୁରର ତତ୍କାଳିନ ଡିଆଇଜି ଇନ୍ଦ୍ରବୀର ସିଂ, ତତ୍କାଳିନ ଏସଏସପି ହରମନଦୀପ ହଂସଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପଞ୍ଜାବର କେତେଜଣ ଆଇପିଏସଙ୍କ ବିରୋଧରେ ବି ଏହି ମାମଲାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସରକାର ତତ୍କାଳିନ ଏଡିଜିପି ଲ ଆଣ୍ଡ ଅର୍ଡର ନରେଶ ଅରୋଡା, ତତ୍କାଳିନ ଏଡିଜିପି ସାଇବର କ୍ରାଇମ ଜି ନାଗେଶ୍ୱର ରାଓ, ତତ୍କାଳିନ ଆଇଜିପି ପଟିଆଲା ରେଞ୍ଜ ମୁଖବିନ୍ଦର ସିଂ, ତତ୍କାଳିନ ଆଇଜି କାଉଣ୍ଟର ଇଣ୍ଟଲିଜେନ୍ସ ରାକେଶ ଅଗ୍ରୱାଲ, ତତ୍କାଳିନ ଡିଆଇଜି ଫରିଦକୋଟ ସୁରଜିତ ସିଂ ଓ ମୋଗାର ତତ୍କାଳିନ ଏସଏସପି ଚରଣଜିତ ସିଂଙ୍କୁ ପଚରା ଯାଇଛି କି ଯାଞ୍ଚ ସମିତିର ସୁପାରିଶ ଅନୁଯାୟୀ ଏମାନଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ କାହିଁକି କରାଯାଇ ନାହିଁ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଜାନୁୟାରୀ, ୨୦୨୨ରେ ପଞ୍ଜାବ ଗସ୍ତ କରିଥିଲେ । ଏହି ସମୟରେ ଫିରୋଜପୁରରେ ମୋଦିଙ୍କ କାଫିଲାକୁ ଏକ ଗାଁରେ କୃଷକଙ୍କ ପକ୍ଷରୁ ଅଟକାଇ ଦିଆଯାଇଥିଲା । ଏହାପରେ ମୋଦି ତାଙ୍କ କାର୍ଯ୍ୟକ୍ରମକୁ ରଦ୍ଦ କରି ଦିଲ୍ଲୀ ଫେରିଯାଇଥିଲେ । ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଛି ଓ ଯାଞ୍ଚ କମିଟି ଗଠନ କରାଯାଇଛି । ଏହି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।