Categories: ଜାତୀୟ

‘ସ୍ନେହ ଯାତ୍ରା’ ଆରମ୍ଭ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ୍‌,୩।୭: ହାଇଦ୍ରାବାଦରେ ଭାଜପାର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଯୋଗ ଦେଇ ହାଇଦ୍ରାବାଦକୁ ଭାଗ୍ୟ ନଗର ବୋଲି କହିଛନ୍ତି। ସେ କହିଛନ୍ତି, ଭାଗ୍ୟନଗରରେ ହିଁ ସର୍ଦ୍ଦାର ପଟେଲ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ସ୍ଲୋଗାନ ଦେଇଥିଲେ। ଆମର କେବଳ ଗୋଟିଏ ଆଦର୍ଶ ଅଛି – ଦେଶ ପ୍ରଥମ, ଆମର କେବଳ ଗୋଟିଏ କାର୍ଯ୍ୟକ୍ରମ ଅଛି -ଦେଶ ପ୍ରଥମ। ତୁଷ୍ଟୀକରଣ ଶେଷ କରିବା ଆମର ଲକ୍ଷ୍ୟ। ଆମେ ତୃପ୍ତୀକରଣ ପଥ ଆପଣାଇଛୁ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ୱକୁ ପ୍ରଶଂସା କରି ଏହାକୁ ଐତିହାସିକ ବୋଲି କହିଥିଲେ। ଯଦି ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁ ନିର୍ବାଚିତ ହୁଅନ୍ତି, ତେବେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ଦେଶ ପାଇଁ ଗୌରବର ବିଷୟ।
ଏହାସହ ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଦଳର ସଦସ୍ୟମାନଙ୍କୁ ‘ସ୍ନେହ ଯାତ୍ରା’ ଆରମ୍ଭ କରି ସମାଜର ସମସ୍ତ ବର୍ଗରେ ପହଞ୍ଚିବାକୁ କହିଥିଲେ। ଦୀର୍ଘ ଦିନ ଧରି ଭାରତକୁ ଶାସନ କରୁଥିବା ଦଳଗୁଡ଼ିକ ବର୍ତ୍ତମାନ ଅସ୍ତିତ୍ୱ ହରାଇବାକୁ ବସିଛନ୍ତି। ଆମେ ସେମାନଙ୍କୁ ପରିହାସ କରିବା ଉଚିତ ନୁହେଁ, କିନ୍ତୁ ସେମାନଙ୍କ ଭୁଲରୁ ଶିଖିବା ଆବଶ୍ୟକ। ଏହାସହ ପରିବାରବାଦ ରାଜନୀତି ବନ୍ଦ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।

Share