ମଙ୍ଗଳବାର ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି: ଭ୍ୟାକ୍ସିନ ଉପରେ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୧୧: ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ବେକାବୁୁ ହେବାରେ ଲାଗିଛି। କିଛି ଦିନରୁ ଭାରତରେ କରୋନା ସଂକ୍ରମଣ ମାମଲା ୫୦ହଜାରୁ ତଳକୁ ଥିବା ବେଳେ ଆଉ କେତେକ ରାଜ୍ୟରେ କରୋନା ଗ୍ରାଫ୍‌ ବଢ଼ିବାରେ ଲାଗିଛି। ଏହାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ଉଦ୍ୟମ କଲେ ମଧ୍ୟ ଏଥିରେ ବିଫଳ ହୋଇଛନ୍ତି। ତେବେ ବର୍ଦ୍ଧିତ କରୋନା ମାମଲାକୁ ଦେଖି ନଭେମ୍ବର ୨୪ ଅର୍ଥାତ୍‌ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲେଚନା କରିବେ। ସକାଳ ୧୦ଟାରେ ପ୍ରଥମେ ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୋଦି ଆଲୋଚନା କରିବେ। ପରେ ଅପରାହ୍ନ ୧୨ଟାରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ ମୋଦି ସମୀକ୍ଷା କରିବେ। ଏହି ବୈଠକରେ ଭ୍ୟାକ୍ସିନ ଉପରେ ମଧ୍ୟ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୬ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ୧ ଲକ୍ଷ ୩୩ ହଜାର ୭୩୮ ଜଣଙ୍କ କରୋନାଜନିତ ମୃତ୍ୟୁ ହୋଇସାରିଛି। ବର୍ତ୍ତମାନ ୪ଲକ୍ଷ ୪୩ ହଜାର କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share