କରୋନା ବହୁରୂପି, ସବୁ ଭାରିଏଣ୍ଟ ଉପରେ ରଖିବାକୁ ପଡିବ ନଜର: ମୋଦି

ନୂଆଦିଲ୍ଲୀ,୧୩ ।୭: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର କମି କମି ଆସୁଛି ହେଲେ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ତୃତୀୟ ଲହରର ସଙ୍କେତ ଦେଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୂର୍ବୋତ୍ତର ରାଜ୍ୟର ୮ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ କରୁଛନ୍ତି । ଏଥିରେ ସେ କହିଛନ୍ତି, କରୋନା ବହୁରୂପି ଏହାର ସବୁ ଭାରିଏଣ୍ଟ ଉପରେ ନଜର ରଖିବାକୁ ପଡିବ । ଏହି ବୈଠକରେ ଆସାମ, ମଣିପୁର, ଅରୁଣାଚଳ ପ୍ରଦେଶ, ମିଜୋରାମ, ମେଘାଳୟ, ସିକ୍କିମ, ତ୍ରିପୁରା ଓ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ । ଏହି ବୈଠକରେ କରୋନା ମହାମାରୀକୁ ନେଇ ଆଲୋଚନା କରାଯାଉଥିବା ବେଳେ କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ ହିଲ ଷ୍ଟେଶନ, ମାର୍କେଟ ଆଦିରେ ଜନସାଧାରଣ ମାସ୍କ ନ ପିନ୍ଧିବା, ଗହଳି କରିବା ଓ କରୋନା ପ୍ରୋଟୋକଲ ନ ମାନିବା ଏବେ ଚିନ୍ତାର କାରଣ ପାଲଟି ଯାଇଛି । ତେବେ କରୋନା ବହୁରୂପି ହୋଇଥିବାରୁ ଆମକୁ ଯଥେଷ୍ଟ ସତର୍କ ରହିବା ଜରୁରୀ । ଏହାସହ ମ୍ୟୁଟେଶନ ପରେ ଏହା କେତେ ଚିନ୍ତା ବଢାଉଛି ତାକୁ ନେଇ ଲଗାତାର ଗବେଷଣା ଜାରି ରହିଛି । ତେଣୁ ଏହାର ତୁରନ୍ତ ଚିକିତ୍ସା କରିବା ଜରୁରୀ । ଏହାସହ ତୃତୀୟ ଲହରର ସାମ୍ନା କରିବାକୁ ହେଲେ ଆମକୁ ଟିକାକରଣ ଅଭିଯାନକୁ ଆହୁରି ଦ୍ରୁତ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ।

Share