Categories: ଜାତୀୟ

କରୋନା କଟକଣା ମଧ୍ୟରେ ମୋଦି ସମ୍ଭାଳିବେ ଭାଜପାର ପ୍ରଚାର ଦାୟିତ୍ୱ

ନୂଆଦିଲ୍ଲୀ,୩୧ ।୧: କରୋନା ମହାମାରୀ ଯୋଗୁ ନିର୍ବାଚନ ପ୍ରଚାରରେ ରୋକ ଲଗାଯାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପଶ୍ଚିମ ଉତ୍ତର ପ୍ରଦେଶରେ ଭର୍ଚୁଆଲ ରାଲି କରିବେ । ବିଗତ ଦିନରେ ଉତ୍ତର ପ୍ରଦେଶରେ ଗୋଟିଏ ପରେ ଗୋଟିଏ ମହାରାଲି କରିବା ପରେ ଏବେ ମୋଦି ପ୍ରଥମଥର ନିର୍ବାଚନ ଭର୍ଚୁଆଲ ରାଲି କରୁଛନ୍ତି । ଏହି ରାଲିରେ ଯୋଗୀ ଆଦିତ୍ୟନାଥ ବି ଭାଗ ନେବେ । ଏହି ଭର୍ଚୁଆଲ ରାଲିରେ ମୋଦି ଉତ୍ତର ପ୍ରଦେଶର ୫ ଜିଲାର ଜନସାଧାରଣଙ୍କୁ ସମ୍ବୋଧନ ଦେବେ । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପାଇଁ ନିର୍ଦ୍ଦିଷ୍ଟ ଜିଲାର ପ୍ରାୟ ୯୮ ସ୍ଥାନରେ ସ୍କ୍ରିନ୍ ଲଗାଯାଇଛି । ଏହି ତାଲିକା ମଧ୍ୟରେ ଯେଉଁ ୨୧ ସ୍ଥାନକୁ ସ୍ଥାନିତ କରାଯାଇଛି ସେଠାରେ ପ୍ରାର୍ଥୀ ନିଜେ ବସି ସମ୍ବୋଧନ କାର୍ଯକ୍ରମରେ ଭାଗ ନେବେ । ଯେଉଁ ୯୮ ସ୍ଥାନରେ ସ୍କ୍ରିନ୍ ଲଗାଯାଇଛି ସେଠାରେ ପ୍ରାୟ ୫୦୦ ଲୋକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଉତ୍ତର ପ୍ରଶେରେ ପ୍ରଥମ ପର୍ଯ୍ୟାୟରେ ୧୧ ଜିଲାର ୫୮ ଆସନ ଲାଗି ୧୦ ଫେବୃୟାରୀରେ ମତଦାନ କରାଯିବ । ନିର୍ବାଚନ କମିଶନ ରାଲିକୁ ବାରଣ କରିଥିବା ବେଳେ ଏବେ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ଭର୍ଚୁଆଲ ରାଲି କରିବାକୁ ଲାଗି ପଡିଛି ।

Share