Categories: ଜାତୀୟ

ବୁଦ୍ଧ ପୂର୍ଣ୍ଣିମାରେ ଲୁମ୍ବିନି ଯିବେ ମୋଦି, ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ହେବ ବାର୍ତ୍ତାଳାପ

ନୂଆଦିଲ୍ଲୀ,୧୬ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନି ଗସ୍ତ କରିବେ । ଏହାସହ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଏକ ବୈଠକରେ ଯୋଗଦେବେ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ମୋଦି ବୌଦ୍ଧ ସଂସ୍କୃତି ଓ ଐତିହ୍ୟ କେନ୍ଦ୍ରର ଆଧାରଶିଳା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେ ସାଢେ ୧୦ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ନେପାଳରେ ରହିବାର କାର୍ଯ୍ୟକ୍ରମ ରହିଛି ।
ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଐତିହ୍ୟ ସ୍ଥଳ ଲୁମ୍ବିନିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ସମୟରେ ସେ ବୁଦ୍ଧ ସର୍କିଟ ସହଭାଗିତ ଏବଂ ସଂଯୋଗର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଘୋଷଣା କରିପାରନ୍ତି । ପ୍ରସ୍ତାବିତ ଯୋଜନା ଅନୁଯାୟୀ, କୁଶିନଗର ଓ ଲୁମ୍ବିନି ମଧ୍ୟରେ ଭାରତ ସହାୟତାରେ ଏକ ରେଳ ଲାଇନ ନିର୍ମାଣ କରାଯିବ । ଏହାସହ କପିଳବାସ୍ତୁ ଓ ଲୁମ୍ବିନି ପର୍ଯ୍ୟନ୍ତ ଭାରତୀୟ ବୌଦ୍ଧ ସ୍ଥଳ ଗୁଡିକୁ ଲୁମ୍ବିନି ସହ ସଂଯୋଗ କରାଯିବ । ଏହି ପ୍ରକଳ୍ପ ଗୁଡିକୁ ନେଇ ଭାରତ ଓ ନେପାଳ ମଧ୍ୟରେ ଅଲୋଚନା ଚାଲିଛି ।

Share