ନୂଆଦିଲ୍ଲୀ,୧୭।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର-ପୂର୍ବ ଗସ୍ତ କରିବାକୁ ଯାଉଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ମୋଦି ମେଘାଳୟର ଶିଲଂକୁ ଗସ୍ତ କରିବେ। ଶିଲଂରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମୋଦି ସାମିଲ ହେବେ ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ। ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା, ରାଜ୍ୟପାଳ ତଥା ସମସ୍ତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ସୂଚନା ରହିଛି। ଉତ୍ତର-ପୂର୍ବ ଅଞ୍ଚଳର ପର୍ଯ୍ୟଟନ, ସଂସ୍କୃତି ଓ ବିକାଶ ମନ୍ତ୍ରୀ ଜି.କିଶନ ରେଡ୍ଡୀ ମଧ୍ୟ ଏଥିରେ ସାମିଲ ହେବେ। ଚାଇନା ସହ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତର-ପୂର୍ବ ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି। ମେଘାଳୟ ସହ ମୋଦି ତ୍ରିପୁରା ରାଜ୍ୟ ମଧ୍ୟ ଗସ୍ତ କରିବେ। ସେଠାରେ ସେ ଅନେକ ଯୋଜନାର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।