Categories: ଜାତୀୟ

ଲୁଣ, ତେଲ ପ୍ୟାକେଟରେ ମୋଦି, ଯୋଗୀଙ୍କ ଫଟୋ

ଲକ୍ଷ୍ନୌ,୧୨ା୧୨: ୮୦ ହଜାର ରାଶନ ଦୋକାନ ଜରିଆରେ ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଥିବା ଲୁଣ, ରିଫାଇଣ୍ଡ ତେଲ ଓ ଚଣା ପ୍ୟାକେଟ ବଣ୍ଟନ କରାଯାଉଛି। ରାଜ୍ୟର ମାଗଣା ରାଶନ ଯୋଜନାରେ ଏହି ବଣ୍ଟନ କାର୍ଯ୍ୟ ରବିବାର ଠାରୁ ଆରମ୍ଭ ହୋଇଛି। କିଛି ପ୍ୟାକେଟରେ ‘ସୋଚ୍ଚ ଇମାନ୍ଦାର, କାମ ଦମଦାର’ (ସଚ୍ଚୋଟ ଚିନ୍ତାଧାରା, କାମ ଦମଦାର) ଭଳି ସ୍ଲୋଗାନ ଉଲ୍ଲେଖ ରହିଛି।

୨୦ ଦିନ ତଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୪ ମାସ (ଚଳିତ ବର୍ଷ ଡିସେମ୍ବରରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ) ପାଇଁ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ରେ ସମସ୍ତ ହିତାଧିକାରୀଙ୍କ ପାଇଁ ପ୍ରତିମାସ ୫ କେଜି ରାଶନ ଯୋଗାଇଦେବା ପାଇଁ ଗତବର୍ଷ ମହାମାରୀ ସମୟରୁ ଏହି ଯୋଜନା ଆରମ୍ଭ ହୋଇଥିଲା। କିନ୍ତୁ ୨ ମାସ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାଦେ ଆଗକୁ ଯାଇ ପ୍ରତ୍ୟେକ ହିତାଧିକାରୀଙ୍କୁ ଅତିରିକ୍ତ ଏକ କିଲୋ ଡାଲି, ଲୁଣ ଓ ଚଣା ଦେବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଅନୁଯାୟୀ, ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ୧୫ କୋଟି ହିତାଧିକାରୀଙ୍କୁ ଏହି ମାଗଣା ପ୍ୟାକେଟ ଦିଆଯିବ।

Share