ନୂଆଦିଲ୍ଲୀ,୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୮ ଏବଂ ୯ ତାରିଖରେ ତେଲେଙ୍ଗାନା, ତାମିଲନାଡୁ ଏବଂ କର୍ନାଟକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କର୍ନାଟକରେ ବିଧାନସଭା ନିର୍ବାଚନ ଘୋଷଣା ପରେ ଏହା ତାଙ୍କର ପ୍ରଥମ ଗସ୍ତ ହେବ। ସେ ପ୍ରଥମେ ଶନିବାର ତେଲେଙ୍ଗାନା ଯିବେ। ତା’ପରେ ସିକନ୍ଦରାବାଦରେ ବନ୍ଦେ ଭାରତ ଏକ୍ସପ୍ରେସର ଉଦ୍ଘାଟନ ପରେ ପ୍ୟାରେଡ ଗ୍ରାଉଣ୍ଡ ହାଇଦ୍ରାବାଦରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାପରେ ସେ ଚେନ୍ନାଇ ଯିବେ। ସେଠାରେ ଅପରାହ୍ନ ୩ଟାରେ ଚେନ୍ନାଇ ବିମାନବନ୍ଦରର ନୂତନ ଇଣ୍ଟିଗ୍ରେଟେଡ ବିମାନବନ୍ଦର ଟର୍ମିନାଲକୁ ଉଦ୍ଘାଟନ କରିବେ। ଏଥି ସହିତ, ଅପରାହ୍ନ ୪ଟାରେ ଏମ୍ଜିଆର ରେଳ ଷ୍ଟେଶନରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି। ଏହାପରେ ରାମକୃଷ୍ଣ ମଠ ମାୟଲାପୁରରେ ରାମକୃଷ୍ଣ ମଠର ୧୨୫ ତମ ବାର୍ଷିକୀ କାର୍ଯ୍ୟକ୍ରମରେ ସାମିଲ ହେବେ। ସେହିପରି ଏପ୍ରିଲ ୯ ତାରିଖରେ କର୍ନାଟକର ବାନ୍ଦିପୁର ଟାଇଗର ରିଜର୍ଭ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି।