Categories: ଜାତୀୟ

ଲୋକ ସଭା-ରାଜ୍ୟ ସଭା ମିଶିଲେ ବି କଂଗ୍ରେସର ନାହାନ୍ତି ଶହେ ଏମ୍‌ପି: ମୋଦି

ଅରରିୟା,୩ ।୧୧: ବିହାରରେ ଗୋଟିଏ ପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି ଅନ୍ୟପଟେ ତୃ୍‌ତୀୟ ପର୍ଯ୍ୟାୟ ଭୋଟ ଗ୍ରହଣକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୨ଟି ରାଲିରେ ଯୋଗ ଦେବାକୁ ବିହାର ପହଞ୍ଚିଛନ୍ତି । ପ୍ରଥମେ ସେ ଅରରିୟାର ଫାରବିସଗଞ୍ଜ ସଭାରେ ସମ୍ବୋଧନ କରିବା ସମୟରେ କହିଛନ୍ତି ବିହାରରେ ଡବଲ ଯୁବରାଜଙ୍କୁ ଲୋକେ ଆଡେଇ ଦେଇଛନ୍ତି । ତେଣୁ ପୁଣିଥରେ ଏନ୍‌ଡିଏ ସରକାର ଗଠନ କରିବାକୁ ଯାଉଛି । ଏହି ସମୟରେ ମୋଦି କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ପୂର୍ବରୁ କଂଗ୍ରେସ ଲୋକଙ୍କୁ ଯେଉଁ ମିଛ ସ୍ୱପ୍ନ ଦେଖାଇଥିଲା ତାହା ଏବେ ଲୋକ ଠିକ୍ ବୁଝି ପାରିଛନ୍ତି । କଂଗ୍ରେସ କହିଥିଲା ଗରିବି ହଟାଇବେ, କୃଷକଙ୍କ ଋଣ ଛାଡ କରିବେ । ଓଆର୍‌ଓପି ଲାଗୁ କରିବେ ଏହା କେବଳ କଂଗ୍ରେସର ବୟାନ ବାଜିଥିଲା କାମ କିନ୍ତୁ ଶୂନ୍ୟ । ସେଥିପାଇଁ ଆଜି କଂଗ୍ରେସର ଅବସ୍ଥା ଏପରି ହୋଇଛି । ଏବେ ଲୋକ ସଭା ରାଜ୍ୟ ସଭା ଦୁଇଟି ଯାକ ମିଶିଲେ ବି କଂଗ୍ରେସ ନିକଟରେ ୧୦୦ ଏମ୍‌ପି ନାହାନ୍ତି । କେତେକ ରାଜ୍ୟରେ କଂଗ୍ରେସ ଖାତା ବି ଖୋଲି ପାରି ନାହିଁ । ଉତ୍ତରପ୍ରଦେଶ ଓ ବିହାରରେ କଂଗ୍ରେସ ଚତୁର୍ଥ-ପଞ୍ଚମ ସ୍ଥାନରେ ଥିବା ବେଳେ କାହାର କୁର୍ତ୍ତା ଟାଣି ବଞ୍ଚିବାକୁ ଚେଷ୍ଟା କରୁଛି ।

Share