Categories: ଜାତୀୟ

ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିବେ ମୋଦି

ଶିମ୍‌ଲା,୧୨।୧୧: ଆଜି ସମଗ୍ର ଦେଶରେ ଆଲୋକର ପର୍ବ ଦୀପାବଳି ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ଲେପ୍‌ଚାଠାରେ ପହଞ୍ଚିଛନ୍ତି। ସେଠାରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳନ କରିବେ ବୋଲି ପ୍ରଧାନମନ୍ତ୍ରୀ ଏକ୍ସରେ ସୂଚନା ଦେଇଛନ୍ତି। ସେ ସୁରକ୍ଷାକର୍ମୀଙ୍କ ସହ ଫଟୋ ଶେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ହିମାଚଳ ପ୍ରଦେଶର ଲେପ୍‌ଚାରେ ପହଞ୍ଚିଲି। ଏଠାରେ ଆମରେ ସାହସୀ ସୈନିକଙ୍କ ସହ ଦୀପାବଳି ପାଳନ କରିବି।
୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ସିଆଚେନ ଗ୍ଲାସିଅର୍‌ ଯାଇ ଦୀପାବଳି ସୈନିକମାନଙ୍କ ସହ ପାଳନ କରିଥିଲେ। ୨୦୧୫ରେ ପଞ୍ଜାବର ଅମୃତସର, ୨୦୧୬ରେ, ହିମାଚଳ ପ୍ରଦେଶର କିନୌର ସହରରେ ସୈନିକମାନଙ୍କ ସହ ଦୀପାବଳି ପାଳନ କରିଥିଲେ। ଏହା ପରେ ୨୦୧୭ରେ ପ୍ରଧାନମନ୍ତ୍ରୀ କଶ୍ମୀରର ଗୁରେଜରେ, ୨୦୧୮ରେ ଉତ୍ତରାଖଣ୍ଡର କେଦାରନାଥରେ ଏବଂ ୨୦୧୯ରେ ଜମ୍ମୁ ବିଭାଗର ରାଜୌରୀରେ ପ୍ରଧାନମନ୍ତ୍ରୀ ସେନା କର୍ମଚାରୀଙ୍କ ସହ ଦୀପାବଳି ପାଳନ କରିଥିଲେ।
୨୦୨୦ରେ ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନର ଜୈସଲମେରରେ ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜୌରୀ ଜିଲାର ନୋଶାହରା ଏବଂ ୨୦୨୨ରେ କାରଗିଲରେ ସୈନିକମାନଙ୍କ ସହ ଦୀପାବଳି ପାଳନ କରିଥିଲେ।

Share