ବାଂଲାଦେଶ ଶହୀଦ ସ୍ମାରକରେ ପହଞ୍ଚିଲେ ମୋଦି: କଲେ ଚାରା ରୋପଣ

ଢାକା,୨୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି। କରୋନା ଆରମ୍ଭ ହେବା ପରଠାରୁ ଏହା ତାଙ୍କର ପ୍ରଥମ ବିଦେଶ ଯାତ୍ରା। ସେ ଢାକାର ସାଭରରେ ଥିବା ଜାତୀୟ ଶହୀଦ ମେମୋରିଆଲ ପରିଦର୍ଶନ କରିଥିଲେ। ଏଠାରେ ସେ ଚାରା ରୋପଣ କରି ଭିଜିଟର୍‌ ବୁକ୍‌ରେ ତାଙ୍କ ବାର୍ତ୍ତା ଲେଖିଥିଲେ। ମୋଦି ଅପରାହ୍ନରେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମନଙ୍କୁ ଭେଟିବେ। ଏହା ପରେ ସେ ଜାତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ସନ୍ଧ୍ୟାରେ ସେ ବାପୁ ବଙ୍ଗବନ୍ଧୁ ଡିଜିଟାଲ ଭିଡିଓ ପ୍ରଦର୍ଶନୀକୁ ଉଦଘାଟନ କରିବେ। ଏହା ପୂର୍ବରୁ ଢାକା ବିମାନବନ୍ଦରରେ ପହଞ୍ଚିବା ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମୋଦିଙ୍କୁ ସ୍ବାଗତ କରିଥିଲେ। ଏଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ବାଂଲାଦେଶର ସ୍ବାଧୀନତାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ମୋଦି ମୁଖ୍ୟ ଅତିଥି ଭାବେ ଦେବେ। ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆୟୋଜିତ ଏକ ସମାରୋହରେ ସେ ଅଂଶଗ୍ରହଣ କରିବେ।

Share