Categories: ଖେଳ

କୋହଲିଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶଂସା କଲେ ମୋଦି

ମେଲବୋର୍ନ,୨୪।୧୦: ଭାରତୀୟ କ୍ରିକେଟ ଟିମ୍‌ ଟି୨୦ ବିଶ୍ୱକପ୍‌ ୨୦୨୨ରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛି। ଏହାଦ୍ୱାରା ଦଳ ପାକିସ୍ତାନଠାରୁ ଗତ ବିଶ୍ୱକପ୍‌ର ପରାଜୟର ପ୍ରତିଶୋଧ ନେବା ସହ ଦେଶକୁ ଦୀପାବଳିର ଉପହାର ମଧ୍ୟ ଦେଇଛି। ଏହାକୁ ନେଇ ଚାରିଆଡୁ ଦଳକୁ ପ୍ରଶଂସାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କୋହଲିଙ୍କ ଐତିହାସିକ ଇନିଂସକୁ ନେଇ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି, ଭାରତୀୟ ଟିମ୍‌ ଉଲ୍ଲେଖନୀୟ ବିଜୟ ହାସଲ କରିଲା। ଭଲ ପ୍ରଦର୍ଶନ ଲାଗି ଦଳକୁ ଶୁଭେଚ୍ଛା। କୋହଲି ବହୁତ ସୁନ୍ଦର ଖେଳିଲେ। ଆସନ୍ତା ମ୍ୟାଚ୍‌ ଲାଗି ସମସ୍ତଙ୍କୁ ଶୁଭେଚ୍ଛା ବୋଲି ସେ ଲେଖିଛନ୍ତି।

କହିରଖୁଛୁ, କୋହଲି ନିଜର ବ୍ୟାଟିଂ ଯୋଗେ ଆଇସିସି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୫୦ୟରୁ ଅଧିକ ରନ୍‌ କରିବା ମାମଲାରେ ମହାନ ବ୍ୟାଟ୍ମମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ସଚିନ ନିଜ କ୍ୟାରିୟରରେ ଏଭଳି ୨୩ ଟି ଇନିଂସ ଖେଳିଥିବା ବେଳେ କୋହଲି ଗୋଟିଏ ପାଦ ଆଗକୁ ଯାଇ ୨୪ ଥର ଏପରି କରିଛନ୍ତି। ଏହାକୁ ଟି୨୦ ଫର୍ମାଟର ସବୁଠାରୁ ସ୍ମରଣୀୟ ଇନିଂସ ବୋଲି କୋହଲି କହିଛନ୍ତି।

Share