Categories: ଜାତୀୟ

ମମତାଙ୍କୁ ଭୁଲିଗଲେ ମୋଦି!

ନୂଆଦିଲ୍ଲୀ,୭ ।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଯେମିତି ଭୁଲିି ଯାଇଛନ୍ତି । କିଏ କିଏ କହୁଛନ୍ତି ମୋଦି ମମତାଙ୍କୁ ଆଦୌ ମନେପକାଇବାକୁ ଚାହୁଁ ନାହାନ୍ତି । କଥା ହେଲା ଜାନୁୟାରୀ ୫ରେ ମମତା ବାନାର୍ଜୀଙ୍କ ସମେତ ବିଭିନ୍ନ ଦଳର ୫ଜଣ ନେତାଙ୍କର ଜନ୍ମଦିନ ଥିଲା । ମୋଦି କାହାକୁ ଫୋନ୍ କରି ତ କାହାକୁ ପତ୍ର ଲେଖି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ । ହେଲେ ମମତାଙ୍କୁ ସେ ଜନ୍ମଦିନର ଶୁଭେଚ୍ଛା ଜଣାଇ ନ ଥିବାରୁ ଏବେ ଏହାକୁ ନେଇ ଆଲୋଚନା ହେଉଛି । ଜାନୁୟାରୀ ୫ରେ ମମତା ବାନାର୍ଜୀ, ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା, ଡିଏମ୍‌କେ ନେତା କାନିମୋଝି, ଭାଜପା ନେତା ମୁରଲି ମନୋହର ଯୋଶୀ ଓ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଜନ୍ମଦିନ ଥିଲା । ମୋଦି ଏମାନେ ସମସ୍ତଙ୍କୁ ବିଭିନ୍ନ ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ ମମତାଙ୍କୁ କିନ୍ତୁ ବାଦ୍ ଦେଇଥିଲେ । ସୂଚନାଯୋଗ୍ୟ, ୧୫ ବର୍ଷ ବୟସରେ ରାଜନୀତିରେ ପାଦ ରଖିଥିବା ମମତାଙ୍କ ଜନ୍ମ ୫ ଜାନୁୟାରୀ ୧୯୫୫ରେ ହୋଇଥିଲା । ତାଙ୍କ ୬୬ ତମ ଜନ୍ମଦିନ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଡିଏମ୍‌କେ ନେତା ଏମ୍ କେ ଷ୍ଟାଲିନ, ଏନ୍‌ସିପି ନେତା ସୁପ୍ରିୟା ସୁଲେ, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିଳ୍ପବ କୁମାର ଦେବ ପ୍ରମୁଖ ମମତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ହେଲେ ମୋଦିଙ୍କ ଅଣଦେଖା ଏକ ଭିନ୍ନ ଆଲୋଚନାକୁ ପ୍ରଶ୍ରୟ ଦେଇଥିବା କୁହାଯାଉଛି ।

Share