ବର୍ଲିନ,୩।୫: ତିନି ଦିନିଆ ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଲିନରେ ଜର୍ମାନୀର ଚାନସେଲର ଓଲାଫ ସ୍କୋଲ୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ସମୟରେ ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତିି। ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କାହାର ବି ବିଜୟ ହେବନି ମୋଦି କହିଛନ୍ତି। ଏହି ଯୁଦ୍ଧରେ ସମସ୍ତେ କେବଳ ସବୁ କିଛି ହରାଇବେ। କିନ୍ତୁ କୌଣସି ସୁଫଳ ମିଳିପାରିବ ନାହିଁ। ଆଲୋଚନା ଓ ଶାନ୍ତି ପ୍ରତିଷ୍ଠା ଦ୍ୱାରା ହିଁ ବିବାଦର ସମାଧାନ ହୋଇ ପାରିବ। ଭାରତ ସବୁବେଳେ ଆଲୋଚନା ଓ ଶାନ୍ତି ଦ୍ୱାରା ସବୁ ବିବାଦର ସମାଧାନ ଚାହେଁ। ଭାରତ ନିୟମିତ ଭାବେ ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇ ଆସିଛି। ଏଥିସହ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ଉଦ୍ୟମ କରିଛି। ତେଣୁ ଆଲୋଚନା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାର ସମାଧାନ କରାଯାଉ। ୟୁକ୍ରେନ ସଙ୍କଟ ଯୋଗୁ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ଏହି ସ୍ଥିତି ବିକାଶଶୀଳ ରାଷ୍ଟ୍ରଗୁ ପ୍ରଭାବିତ କରିବ ଓ ବିଶ୍ୱକୁ ମଧ୍ୟ ଯୁଦ୍ଧ ଯୋଗୁ ତୈଳଦର ବଢୁଥିବା ମୋଦି କହିଛନ୍ତି।
ସେପଟେ ଜର୍ମାନୀ ଚାନସେଲର ଖୋଲାଖୋଲି ଭାବେ ରୁଷିଆକୁ ସମାଲୋଚନା କରିଛନ୍ତି। ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରି ଅନ୍ତର୍ଜାତୀୟ ଆଇନର ମୌଳିକ ମୂଲବୋଧକୁ ବେଖାତିର କରିଛି ବୋଲି କହିଛନ୍ତି।