Categories: ଜାତୀୟ

ଅଚାନକ ଲେହରେ ପହଞ୍ଚିଲେ ମୋଦି

ଶ୍ରୀନଗର,୩।୭: ଚାଇନା ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍‌ ଲେହରେ ପହଞ୍ଚିଛନ୍ତି। ଶୁକ୍ରବାର ସକାଳେ ଏଠାରେ ପହଞ୍ଚି ଯବାନମାନଙ୍କୁ ଭେଟିଥିଲେ। ଏହାପୂର୍ବରୁ କେବଳ ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ ସେଠାକୁ ଯାଇଥିଲେ। ମୋଦି ନିମୁ ଫରୱାର୍ଡ ପୋଷ୍ଟରେ ପହଞ୍ଚି ସେନା, ବାୟୁସେନା ଅଧିକାରୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ନିମୁ ପୋଷ୍ଟ ସମୁଦ୍ର ପତ୍ତନ ଠାରୁ ୧୧ ହଜାର ଫୁଟ ଉଚ୍ଚରେ ଉପସ୍ଥିତ। ଯାହା ଦୁନିଆର ସର୍ବୋଚ୍ଚ ଏବଂ ବିପଜ୍ଜନକ ପୋଷ୍ଟ ଭାବରେ ପରିଗଣିତ।
ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୧୪ ଜଣ କର୍ପସ ଅଧିକାରୀଙ୍କ ସହ କଥା ହୋଇଥିଲେ। ଏହା ବ୍ୟତୀତ ବିପିନ ରାୱତଙ୍କ ସହ ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିଥିଲେ। ଏହି ସମୟରେ ଉତ୍ତର ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୟୁ.କେ ଯୋଶୀ, ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ମଧ୍ୟ ଉପସ୍ଥିତ ଥିଲେ। ମେ ମାସରୁ ଚାଇନା ସହିତ ସୀମାରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ଏଠାକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନାଯୋଗ୍ୟ, ଲଦାଖ ସୀମାରେ ଉତ୍ତେଜନା ମଧ୍ୟରେ ଜୁନ୍‌ ୧୫ରେ ଗଲଓ୍ବାନ୍‌ ଉପତ୍ୟକାରେ ଭାରତ ଏବଂ ଚାଇନା ସୈନ୍ୟ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଭାରତୀୟ ସେନାର ୨୦ ଯବାନ ଶହୀଦ ହୋଇଥିଲେ।

Share