Categories: ଜାତୀୟ

ଚାଇନା-ପାକ୍‌କୁ କଡା ବାର୍ତ୍ତା ଦେବ ମୋଦିଙ୍କ ଲେହ ଗସ୍ତ

ନୂଆଦିଲ୍ଲୀ,୩।୭: ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଶୁକ୍ରବାର ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲେହ ଗସ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେ ଏହାକୁ ନେଇ ଆଲୋଚନା କରାଯାଉଛି କି ମୋଦିଙ୍କ ଏହି ସରପ୍ରାଇଜ୍‌ ଭିଜିଟ୍‌ ଚାଇନା ସମେତ ସମଗ୍ର ବିଶ୍ୱକୁ ଏକ ବଡ ବାର୍ତ୍ତା ଦେଇଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା କଥା ହେଲା ମୋଦିଙ୍କ ହଠାତ୍‌ ଲେହ ଗସ୍ତ ଏକ ବଡ ପଦକ୍ଷେପ। ଏହାସହ ସେ ଚାଇନାକୁ ବର୍ତ୍ତା ଦେଇଛନ୍ତି କି ଆମେ କେବେ ପଛକୁ ହଟିବୁ ନାହିଁ। ଏହାସହ ପ୍ରତିରକ୍ଷା ବିଶେଷଜ୍ଞମାନେ କହୁଛନ୍ତି ଯେପର୍ଯ୍ୟନ୍ତ ଚାଇନା ସେନା ସୀମାରେ ରହିଛି ସେପର୍ଯ୍ୟନ୍ତ ଭାରତୀୟ ସେନା ବି ସୀମାରେ ତା’ର ଶକ୍ତି ବଢାଇ ଚାଲିଛି। ତେଣୁ ମୋଦିଙ୍କ ଗସ୍ତ ଚାଇନାକୁ କହୁଛି ଯେ ଆମେ କୌଣସି ପରିସ୍ଥିତିରେ ମଧ୍ୟ ସାଲିସ କରିବାର ନାହିଁ କି ପଛକୁ ହଟିବାର ନାହିଁ। ଅନ୍ୟପଟେ ମୋଦିଙ୍କ ଏହି ଗସ୍ତ ଯବାନଙ୍କ ମନୋବଳ ବୃଦ୍ଧି କରିବ। ଅବସରପ୍ରାପ୍ତ ବ୍ରିଗେଡିୟର ବିକ୍ରମ ଦତ୍ତ କହିଛନ୍ତି ମୋଦି ଗ୍ରାଉଣ୍ଡ ଜିରୋରେ ପହଞ୍ଚିବା ପରେ ତାଙ୍କୁ ସେଠାକାର ପରିସ୍ଥିତି ସମ୍ପର୍କରେ ସଠିକ୍‌ ତଥ୍ୟ ମିଳିବ। ଦତ୍ତ କହିଛନ୍ତି ଯେବେବି ଦେଶର ଯେ କୌଣସି ପ୍ରଧାନମନ୍ତ୍ରୀ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଥାଆନ୍ତି ସେବେ ଯବାନଙ୍କ ମନୋବଳ ଆହୁରି ବୃଦ୍ଧି ପାଇଥାଏ।

Share