Categories: ଜାତୀୟ

ମୋଦିଙ୍କ ସଂସଦୀୟ କାର୍ଯ୍ୟାଳୟକୁ ଓଏଲ୍‌ଏକ୍ସରେ ବିକ୍ରି ପାଇଁ ଦେଲେ ଯୁବକ

ବାରାଣସୀ,୧୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ କିଛି ଯୁବକ ମୋଦିଙ୍କ ସଂସଦୀୟ କାର୍ଯ୍ୟାଳୟକୁ ଓଏଲଏକ୍ସରେ ବିକ୍ରି ପାଇଁ ଦେଇଛନ୍ତି। ପିଏମ ମୋଦୀଙ୍କ ସଂସଦୀୟ କାର୍ଯ୍ୟାଳୟର ଏକ ଫଟୋ ନିଆଯାଇ ଓଏଲଏକ୍ସରେ ପକାଯାଇଥିଲା ଏବଂ ଏହାର ମୂଲ୍ୟ ୭.୫ କୋଟି ଟଙ୍କା ବୋଲି କୁହାଯାଇଛି। ଓଏଲଏକ୍ସରେ ଦିଆଯାଇଥିବା ବିଜ୍ଞାପନରେ ଅଫିସ ଭିତରେ ସୂଚନା ମଧ୍ୟ ଦିଆଯାଇଛି। ରୁମ, ପାର୍କିଂ ସୁବିଧା ଏବଂ ଅନ୍ୟ ସମସ୍ତ ବିଷୟ ବର୍ଣ୍ଣନା କରାଯାଇଥିଲା। ଏହି ମାମଲା ପୋଲିସର ନଜରକୁ ଆସିବା ପରେ ବିଜ୍ଞାପନ ହଟାଇ ଦିଆଗଲା। ଏହି ମାମଲାରେ ପୋଲିସ ଏଫଆଇଆର ପଞ୍ଜୀକୃତ କରିଥିବାବେଳେ ଚାରି ଜଣଙ୍କୁ ଅଟକ ରଖାଯାଇଛି। ପୋଲିସ କହିଛି ଯେ ଫଟୋ ଉଠାଇ ଓଏଲଏକ୍ସରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ମାମଲାରେ ପୋଲିସ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ପୋଲିସ କହିଛି ଯେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୪ ଜଣ ଜେଲରେ ଥିବାବେଳେ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ପଚରାଉଚରା କରାଯାଉଛି। ସୂଚନାଯୋଗ୍ୟ, ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରେ ଏକ କାର୍ଯ୍ୟାଳୟ ରହିଛି। ଏଠାକୁ ଲୋକମାନେ ସମସ୍ୟା ବିଷୟରେ କହିବାକୁ ଆସନ୍ତି।

Share