Categories: ରାଜ୍ୟ

ସତ ହେଲା ଓଡ଼ିଶାକୁ ନେଇ ମୋଦି କରିଥିବା ଭବିଷ୍ୟବାଣୀ

ଭୁବନେଶ୍ୱର,୪।୬: ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ରେ ଇତିହାସ ରଚିଛି ଭାଜପା। ଦୀର୍ଘ ୨୫ ବର୍ଷର ବିଜେଡି ଶାସନର ଦୁର୍ଗକୁ ଭେଦ କରିଛି ଦଳ। ୧୪୭ ଆସନରେ ହୋଇଥିବା ମତଦାନର ଗଣନା ଜାରି ରହିଥିବା ବେଳେ ଭାଜପା ବିଜେଡିକୁ ପଛରେ ପକାଇ ଲଗାତର ବହୁମତ ହାସଲ ଦିଗକୁ ଅଗ୍ରସର ହେଉଛି। ଫଳରେ ପ୍ରଥମ ଥର ଲାଗି ରାଜ୍ୟରେ ଭାଜପା ସରକାର ହେବାକୁ ଯାଉଥିବା ସ୍ପଷ୍ଟ ହୋଇଛି। ବିଶେଷକରି ଉତ୍ତର ଓଡ଼ିଶାରେ ଦଳ ଭୋଟରଙ୍କ ମନ ଜିଣିବାରେ ସଫଳ ହୋଇଛି। ବରଗଡ଼, କଳାହାଣ୍ଡି, ବଲାଙ୍ଗୀର, ପୁରୀ, ସମ୍ବଲପୁର ଏବଂ କେନ୍ଦୁଝର ଆସନ ଦଳ ହାତେଇଛି।
୨୦୦୯ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେଡି ଭାଜପାଠାରୁ ୧୧ ବର୍ଷ ପୁରୁଣା ମେଣ୍ଟ ଭାଙ୍ଗିଥିଲା। କାରଣ ଭାଜପା ବିଧାନସଭାର ୧୪୩ ଆସନରୁ ୪୦ରେ ନିର୍ବାଚନ ଲଢ଼ୁ ବୋଲି ବିଜେଡି ଚାହୁଁଥିଲା। ହେଲେ ଭାଜପା ୬୩ ଆସନରେ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲା। ୨୦୧୯ରେ ବିଜେଡି ୧୧୨ ଆସନରେ ବିଜେତା ହୋଇଥିଲା। ଭାଜପା ୨୩ ଏବଂ କଂଗ୍ରେସ ୯ ଏବଂ ଅନ୍ୟ ଦଳ ୨ ଆସନରେ ଜିତିଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ଭାଜପା ଏବଂ ବିଜେଡି ମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ଆସନ ବୁଝାବଣାରେ ସହମତି ନ ହେବା ପରେ ତାହା ହୋଇପାରି ନ ଥିଲା। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଳର ପ୍ରମୁଖ ନେତାମାନେ ଓଡ଼ିଶାରେ ନିର୍ବାଚନ ପ୍ରଚାରକୁ ଜୋର ଦାର କରିଥିଲେ। ମୋଦି କେବଳ ୧୦ରୁ ଅଧିକ ରାଲି କରିଥିଲେ। ପ୍ରତିଟି ରାଲିରେ ସେ ‘୪ ଜୁନ୍‌ରେ ନବୀନ ବାବୁ ଅବସର ନେବେ, ୧୦ ଜୁନ୍‌ରେ ଭାଜପା ମୁଖ୍ୟମନ୍ତ୍ରୀ ଶପଥ ନେବେ’ ବୋଲି ଭବିଷ୍ୟବାଣୀ କରିଥିଲେ। ଏବେ ତାହା ସତ ହେବାକୁ ଯାଉଥିବା କୁହାଯାଉଛି।