Categories: ଜାତୀୟ

କରୋନାର ନୂଆ ଭାରିଏଣ୍ଟକୁ ନେଇ ବଢୁଛି ଚିନ୍ତା: ମୋଦିଙ୍କ ସହ ବସିଛି ଜରୁରୀ ବୈଠକ

ନୂଆଦିଲ୍ଲୀ,୨୭ ।୧୧: କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରୋନ’ ଏବେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ଏହାକୁ ନେଇ ବିଭିନ୍ନ ଦେଶ ସତର୍କ ହୋଇ ଗଲେଣି । ଓମିକ୍ରୋନର ଭୟାବହତାକୁ ଲକ୍ଷ୍ୟ କରି ଭାରତ କିଛି ବିଶେଷ ପଦକ୍ଷେପ ନେଇପାରେ ବୋଲି ଅନୁମାନ କରାଯାଉଛି । ଏହି ମହାମାରୀକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେତେଜଣ ଶୀର୍ଷ ଅଧିକାରୀ, କ୍ୟାବିନେଟ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ନେଇ ଏକ ଜରୁରୀ ବୈଠକରେ ଆଲୋଚନା କରୁଛନ୍ତି । ଏଥିରେ ଟିକାକରଣକୁ ନେଇ ମଧ୍ୟ ଆଲୋଚନା ହେଉଛି । କରୋନାର ନୂଆ ସ୍ୱରୂପ ବା ଭାରିଏଣ୍ଟ ଓମିକ୍ରୋନକୁ ନେଇ କିପରି ସତର୍କତା ଅବଲମ୍ବନ କରାଯାଇ ପାରିବ ସେ ନେଇ ଆଲୋଚନା ଜାରି ରହିଛି । ସୂଚନାଯୋଗ୍ୟ, ଦେଶର ଏବେ କିଛି ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏହା ମଧ୍ୟ ଏକ ଚିନ୍ତାର କାରଣ ପାଲଟିଯାଇଛି ।

Share