୧୦ ରାଜ୍ୟରେ ଯଦି କରୋନା ସଂକ୍ରମଣକୁ ରୋକାଯାଇ ପାରିବ ତେବେ ଦେଶ ଜିତିବ କରୋନା ଯୁଦ୍ଧ: ମୋଦି

ନୂଆଦିଲ୍ଲୀ,୧୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ଭାଇରସ ମହାମାରୀର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ। ଭିଡିଓ କନଫରେନସିଂ ଜରିଆରେ ଆୟୋଜିତ ଏହି ବୈଠକରେ ଆନ୍ଧ୍ରପ୍ରଦେଶ, କର୍ନାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାବ, ବିହାର, ଗୁଜରାଟ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ। ଏହିସବୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବହୁ ଅଧିକ ଥିବାରୁ ବୈଠକର ମହତ୍ୱ ରହିଛି ବୋଲିି କୁହାଯାଏ। ମୋଦି କହିଛନ୍ତି ଏସବୁ ରାଜ୍ୟ କରୋନା ମହାମାରୀକୁ ନେଇ ଅସ୍ତବ୍ୟସ୍ତ ହୋଇଗଲେଣି। ତେଣୁ ଏହା ମହାମାରୀକୁ ରୋକିବାକୁ ସବୁ ରାଜ୍ୟ ଚେଷ୍ଟା କରିବା ଜରୁରୀ। ଏବେ ଆମକୁ ଟେଷ୍ଟ ଓ ସୁସ୍ଥତା ହାର ବଢାଇବା ଦିଗରେ କାର୍ଯ୍ୟ କରିବା ଜରୁରୀ ବୋଲି ମୋଦି କହିଛନ୍ତି। ତେବେ କରୋନା ଲଢେଇରେ ଦେଶ ଠିକ୍‌ ମୁକାବିଲା କରି ଚାଲିଛି ବୋଲି ସେ ମତ ଦେଇଛନ୍ତି। ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଯଦି ୭୨ ଘଣ୍ଟା ମଧ୍ୟରେ ତାଙ୍କର ଟେଷ୍ଟ କରାଇ ନିଅନ୍ତି ତେବେ ଏହାକୁ ଅନେକାଂଶରେ ରୋକାଯାଇ ପାରିବ ବୋଲି ତାଙ୍କର ମତ। ତେଣୁ ଯେଉଁ ରାଜ୍ୟରେ ଟେଷ୍ଟର ହାର କମ୍‌ ରହିଛି ତାକୁ ଏବେ ବଢାଇବା ଜରୁରୀ। ସୂଚନାଯୋଗ୍ୟ, କରୋନା ଭାଇରସ ଯେବେଠାରୁ ଭାରତରେ ପାଦ ଦେଲାଣି ସେବେଠାରୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ସହ ସମ୍ପର୍କରେ ରହୁଛନ୍ତି।

Share