Categories: ଜାତୀୟ

ଡିସେମ୍ବର ୧୦ରେ ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ମୋଦି

ନୂଆଦିଲ୍ଲୀ,୫ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୧୦ରେ ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ । ଏହି ସୂଚନା ଲୋକ ସଭା ଅଧ୍ୟକ୍ଷ ଓମ ବିରଲା ଶନିବାର ଦେଇଛନ୍ତି । ସାମାଚାର ଏଜେନ୍ସି ଏଏନ୍‌ଆଇକୁ ସୂଚନା ଦେଇ ବିରଲା କହିଛନ୍ତି ଡିସେମ୍ବର ୧୦ରେ ମୋଦି ନୂଆ ସଂସଦ ଭବନର ଶିଳାନ୍ୟାସ କରିବା ସହ ଭୂମିପୂଜା କରିବେ । ଶନିବାର ଦ୍ୱିପ୍ରହରରେ ମୋଦିଙ୍କ ସହ ସାକ୍ଷାତ୍ କରିବା ପରେ ବିରଲା ଏହି ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ନୂଆ ସଂସଦ ଭବନ ନିର୍ମାଣର କଣ୍ଟ୍ରାକ୍ଟ ଟାଟା ପ୍ରୋଜେକ୍ଟସ ଲିମିଟେଡକୁ ମିଳିଛି । ଯେଉଁଥିରେ ଖର୍ଚ୍ଚ ହେଉଛି ପାଖାପାଖି ୮୬୧.୯୦ କୋଟି ଟଙ୍କା । ଏହା ପୁରୁଣା ସଂସଦ ଭବନକୁ ଲାଗି ନିର୍ମାଣ କରାଯିବ । ପାଖାପାଖି ୨୧ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାର ଯୋଜନା ରହିଛି । ନୂଆ ଭବନରେ ମିଳିତ ଅଧିବେଶନ ଚାଲିଲେ ବି ୧,୩୫୦ ଏମ୍‌ପି ବସିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିବ ।

Share