ପ୍ରଥମଥର ଅନ୍ତର୍ଜାତୀୟ ମଞ୍ଚରେ ଏକାଠି ହେବେ ମୋଦି-ବାଇଡେନ୍‌

ନୂଆଦିଲ୍ଲୀ,୧୨।୩: କରୋନା ସଙ୍କଟ ସମୟ, ଚାଇନା ସହ ଚାଲିଥିବା ବିବାଦ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ QUAD ଦେଶଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ସଭାରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ଯୋଗଦେବେ। ବିଶ୍ୱର ଚାରୋଟି ଶକ୍ତିଶାଳୀ ଗଣତାନ୍ତ୍ରିକ ଦେଶର ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ କରୋନା ଟିକା, ବୈଷୟିକ ସହଯୋଗ, ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗ ପ୍ରମୁଖ ହୋଇପାରେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚାଇନା ପ୍ରସଙ୍ଗ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ୨୦୦୭ରେ QUAD ଗଠନ ହୋଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ଚାଇନାର ବଢୁଥିବା ପ୍ରଭାବକୁ ପ୍ରତିହତ କରିବା। କିନ୍ତୁ ତା’ପରେ ମନମୋହନ ସିଂ ସରକାର କହିଥିଲେ ଯେ ଚାଇନା ବିରୋଧରେ ଭାରତ କୌଣସି ପ୍ରକାର ଉଦ୍ୟମରେ ଜଡିତ ନୁହେଁ। ଏହା ପରେ ଭାରତ ଏବଂ ଅଷ୍ଟ୍ରେଲିଆ ନିଜକୁ ଦଳରୁ ଅଲଗା କରିଥିଲେ। ଏବେ କରୋନା ମହାମାରୀ ସମୟରେ ଚାଇନା ଏସିଆ-ପ୍ରଶାନ୍ତ ମହାସାଗରରେ ବଡ଼ଧରଣର ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିବାବେଳେ ପୁଣି ଥରେ ଏପରି ପରିସ୍ଥିତି ଉପୁଜିଛି। ଏହି କାରଣରୁ ଚତୁର୍ଦ୍ଦଶ ଦେଶର ନେତାଙ୍କ ବୈଠକରେ ଏହି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

Share