Categories: ଜାତୀୟ

୪୯ ଦିନ ହେଲା ଜଳୁଛି ମଣିପୁର, ହେଲେ ପ୍ରଧାନମନ୍ତ୍ରୀ କିଛି ନ କହି ବିଦେଶ ଯାଉଛନ୍ତି: କଂଗ୍ରେସ

ନୂଆଦିଲ୍ଲୀ,୧୯।୬:  ମଣିପୁରରେ ପ୍ରାୟ ଦେଢ ମାସ ଧରି ହିଂସା ଚାଲିଛି। ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା କେ.ସି ଭେଣୁଗୋପାଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି , ଗତ ୪୯ ଦିନ ଧରି ମଣିପୁର ଜଳୁଛି ଏବଂ ୫୦ ଦିନରେ ମଧ୍ୟ ମଣିପୁରରେ ଚାଲିଥିବା ସଙ୍କଟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କିଛି ନ କହି ବିଦେଶ ଯାଉଛନ୍ତି।

କଂଗ୍ରେସ ନେତା କହିଛନ୍ତି, ମଣିପୁରରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି, ହଜାର ହଜାର ଲୋକ ବାସହୀନ ହୋଇଛନ୍ତି, ଅସଂଖ୍ୟ ଚର୍ଚ୍ଚ ଏବଂ ପୂଜାପାଠ ସ୍ଥାନ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ହିଂସା ମିଜୋରାମରେ ମଧ୍ୟ ବ୍ୟାପିବାରେ ଲାଗିଛି। ଗତ କିଛି ଦିନ ହେବ ମଣିପୁରର ନେତାମାନେ ଏଥିରେ ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ସମୟ ଦାବି କରିଆସୁଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ କରି ଭେଣୁଗୋପାଳ କହିଛନ୍ତି, ବିଶ୍ୱଗୁରୁ ପ୍ରଧାନମନ୍ତ୍ରୀ ମଣିପୁର କଥା କେବେ ଶୁଣିବେ? ଶାନ୍ତି ପାଇଁ ସେ କେବେ ଦେଶ ସହିତ କଥା ହେବେ? କେବଳ ଏତିକି ନୁହେଁ, ସେ ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଶାନ୍ତି ପ୍ରତିଷ୍ଠା କରିବାରେ ବିଫଳ ହୋଇଥିବାରୁ ପିଏମ ମୋଦି କେବେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ମଣିପୁରର ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତରଦାୟିତ୍ୱ ଲୋଡ଼ିବେ?

Share