ମୁକେଶ ଅମ୍ବାନୀଙ୍କ ଠାରୁ ସୁନ୍ଦର ପିଚାଇଙ୍କ ପର୍ଯ୍ୟନ୍ତ ମୋଦି-ବାଇଡେନଙ୍କ ଡିନରରେ ହୋଇଥିଲେ ସାମିଲ

ଓ୍ବାଶିଂଟନ,୨୩।୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନଙ୍କ ନିମନ୍ତ୍ରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ‘ଷ୍ଟେଟ ଡିନର’ରେ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ରାତ୍ରୀ ଭୋଜନରେ ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ, ଆନନ୍ଦ ମହିନ୍ଦ୍ରାଙ୍କଠାରୁ ସୁନ୍ଦର ପିଚାଇଙ୍କ ପର୍ଯ୍ୟନ୍ତ ଅନେକ ବଡ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ। ଏହା ସହିତ ଭାରତ ସରକାରଙ୍କ ବଡ ପ୍ରତିନିଧିମାନେ ଏହି ଷ୍ଟେଟ ଡିନରରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନାମ ମଧ୍ୟ ସାମିଲ ରହିଛି।

ଏହି ଡିନରରେ ପ୍ରାୟ ୪୦୦ ଲୋକ ସାମିଲ ହୋଇଥିଲେ। ଯଦି ଆମେ ଅତିଥିଙ୍କ ବିଷୟରେ ଆଲୋଚନା କରିବା, ତେବେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଏନଏସଏ ଅଜିତ ଡୋଭାଲ, ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି, ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ, ଆନନ୍ଦ ଗିରିଧରଦାସ, ଆନନ୍ଦ ମହିନ୍ଦ୍ରା, ସତ୍ୟ ନାଡେଲା ଏବଂ ଅନୁ ନାଡେଲା, ଭାରତୀୟ-ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ଏମ ନାଇଟ ଶ୍ୟାମଳନ, ନିଧି ତିୱାରୀ, ଆଡୋବ ସିଇଓ ଶାନ୍ତନୁ ନାରାୟଣ, ସଲମାନ ଅହମ୍ମଦ ପ୍ରମୁଖ ସାମିଲ ଥିଲେ। ଏଥିସହ ‘ଷ୍ଟେଟ ଡିନର’ରେ ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନ୍ଦର ପିଚାଇ ଏବଂ ତାଙ୍କ ପତ୍ନୀ ଅଞ୍ଜଳି ମଧ୍ୟ ଉପସ୍ଥିତ ଥିଲେ। ‘ଷ୍ଟେଟ ଡିନର’ ସମୟରେ ଅମ୍ବାନୀ ଏବଂ ପିଚାଇଙ୍କ ଫଟୋ ଭାଇରାଲ ହୋଇଛି।

Share