Categories: ଜାତୀୟ

ଏପ୍ରିଲ୍‌ ୧୧ରେ ମୋଦି-ବାଇଡେନ୍‌ଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୧୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଏପ୍ରିଲ ୧୧ ଅର୍ଥାତ୍‌ ସୋମବାର ଏକ ଭର୍ଚୁଆଲ୍‌ ବୈଠକ ହେବ ବୋଲି ଜଣାପଡିଛି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବୈଠକରେ ଦ୍ୱିପାକ୍ଷିକ ପ୍ରସଙ୍ଗ ସହିତ ରୁଷିଆ ଏବଂ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ବିଷୟରେ ମଧ୍ୟ ଆଲୋଚନା କରାଯାଇପାରେ। ଏହାସହ ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବେ ଏବଂ ଦକ୍ଷିଣ ଏସିଆର ବିକାଶ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ପାରସ୍ପରିକ ସ୍ବାର୍ଥର ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ।
ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ମୋଦି ଏବଂ ବାଇଡେନଙ୍କ ମଧ୍ୟରେ ଏହି ସାକ୍ଷାତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଆସନ୍ତା ସପ୍ତାହରେ ଆମେରିକା ଏବଂ ଭାରତ ମଧ୍ୟରେ ୨ ପ୍ଲସ ୨ ଆଲୋଚନା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏଥିରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଅଂଶଗ୍ରହଣ କରିବେ।

Share