ଜୁଲାଇ ୧୬ରେ ୬ରାଜ୍ୟର ମୁଖମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ,୧୩।୭: କରୋନାର ତୃତୀୟ ଲହର ବିପଦକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୬ ସକାଳ ୧୧ଟାରେ ୬ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ। ଏହି ବୈଠକରେ ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, କର୍ନାଟକ, ଓଡ଼ିଶା, ମହାରାଷ୍ଟ୍ର ଓ କେରଳର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏଥିରେ ରାଜ୍ୟର ବର୍ତ୍ତମାନ କରୋନାର ବର୍ତ୍ତମାନ ସ୍ଥିତି ଉପରେ ମୋଦି ଆଲୋଚନା କରିବେ ବୋଲି ଜଣାପଡ଼ିଛି। କାରଣ ଉକ୍ତ ରାଜ୍ୟଗୁଡ଼ିକରେ ବର୍ତ୍ତମାନ କରୋନା ସଂକ୍ରମଣର ଅଧିକ ମାମଲା ସାମ୍ନାକୁ ଆସୁଛି। ଏହାପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କରୋନା ସ୍ଥିତି ଉପରେ ଆଲୋଚନା କରିଥିଲେ। ଏଥିରେ ଆସାମ, ମଣିପୁର, ଅରୁଣାଚଳ ପ୍ରଦେଶ, ମିଜୋରାମ ଓ ମେଘାଳୟ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ। ଏହି ସମୟରେ ମୋଦି ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କରିବା ସହ ସତର୍କତା ଅବଲମ୍ବନ କରିବାକୁ ଜୋର ଦେଇଥିଲେ। ଏଥିସହ ହିଲ୍‌ ଷ୍ଟେସନ ଓ ମାର୍କେଟରେ ବିନା ମାସ୍କ ଓ କରୋନା ପ୍ରୋଟୋକଲ୍‌ ନିୟମ ଉଲ୍ଲଂଘନ କରି ଏକତ୍ରିତ ହେବା ଠିକ୍‌ ନୁହେଁ। ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିବ ବୋଲି ମୋଦି କହିଛନ୍ତି।

Share