ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବେ ମୋଦି

ଟୋକିଓ,୨୭।୯: ସେପ୍ଟେମ୍ବର ୨୭ ଅର୍ଥାତ୍‌ ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟିକ୍ରିୟା କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଟୋକିଓରେ ପହଞ୍ଚିଛନ୍ତି। ସେଣ୍ଟ୍ରାଲ ଟୋକିଓର ନିପ୍ପନ ବୁଡୋକାନରେ ଭାରତୀୟ ସମୟ ସକାଳ ୧୦.୩୦ରେ ଅନ୍ତ୍ୟେଷ୍ଟି କ୍ରିୟା କାର୍ଯ୍ୟକ୍ରମ ଆରମ୍ଭ ହେବ। ୧୦୦ଟି ଦେଶର ପ୍ରତିନିଧି ଏଠାରେ ଉପସ୍ଥିତ ରହିବେ। ଶିଞ୍ଜୋ ଆବେଙ୍କ ସ୍ତ୍ରୀ ଅକି ଆବେଙ୍କୁ ମଧ୍ୟ ସମବେଦନା ଜଣାଇବା ପାଇଁ ମୋଦି ଏକ ସୌଜନ୍ୟମୂଳକ ସାକ୍ଷାତ କରିବେ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଆବେଙ୍କ ମଧ୍ୟରେ ବହୁତ ଘନିଷ୍ଠତା ଥିଲା। ଆବେଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ମୋଦି ତାଙ୍କୁ ଜଣେ ପ୍ରିୟ ବନ୍ଧୁ ବୋଲି ବର୍ଣ୍ଣନା କରିଥିଲେ।
ସର୍ବପ୍ରଥମେ, ଆଜି ମୋଦି ଟୋକିଓର ଆକାସାକା ପ୍ୟାଲେସ ପରିଦର୍ଶନ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ମଧ୍ୟରେ ଏକ ସଂକ୍ଷିପ୍ତ ଦ୍ୱିପାକ୍ଷିକ ବୈଠକ ହେବ।
ସିଞ୍ଜୋ ଆବେ ଜାପାନର ଦୀର୍ଘସମୟ ଧରି ପ୍ରଧାନମନ୍ତ୍ରୀ ଥିଲେ। ଜୁଲାଇ ୮ରେ ଏକ ନିର୍ବାଚନ ଇଭେଣ୍ଟରେ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା।

Share