ପୁଣେ, ୨୪।୫: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ କାର୍ଯ୍ୟ କରୁଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ହେବା ଲାଗି ଦୌଡ଼ରେ ନ ଥିବା ସ୍ପଷ୍ଟ କରିଦେଇଛନ୍ତି। ଦେଶର ଉନ୍ନତି ପାଇଁ ବିରୋଧୀ ଜଣେ ନେତୃତ୍ୱ ଚାହାନ୍ତି ବୋଲି ଏନ୍ସିପି ନେତା ପୁଣେରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ବିରୋଧୀ ଦଳଗୁଡ଼ିକ ଏକାଠି ହେବା ପରେ ଜଣକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିବା ପାଇଁ ପଦକ୍ଷେପ ନେବାକୁ ହେବ। ସେମାନଙ୍କୁ ଏକାଠି କରିବାକୁ ସେ ଉଦ୍ୟମ ଚଳାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ଦୌଡ଼ରେ ନାହାନ୍ତି କି ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ପାଓ୍ବାର ଖବରଦାତାମାନଙ୍କୁ କହିଛନ୍ତି। ମହାରାଷ୍ଟ୍ରରେ ଶିବସେନା(ୟୁବିଟି) ଏବଂ କଂଗ୍ରେସ ସହ ଏନ୍ସିପିର ମେଣ୍ଟ ଥିବାରୁ ଆସନ ଭାଗବଣ୍ଟା ସମ୍ପର୍କିତ ପ୍ରଶ୍ନରେ ମହା ବିକାଶ ଅଘାଡ଼ିର ନେତାମାନେ ତାହା ସ୍ଥିର କରିବେ ବୋଲି ପାଓ୍ବାର କହିଥିଲେ। ଏନେଇ ଉଦ୍ଧବ ଠାକ୍ରେ, ସୋନିଆ ଗାନ୍ଧୀ କିମ୍ବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସେ ଏକାଠି ବସି ନିଷ୍ପତ୍ତି ନେବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି।