Categories: ଜାତୀୟ

ଦେଶରେ ଅକ୍ସିଜେନ ଅଭାବ ସ୍ବୀକାର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୪: କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ଦିନକୁ ଦିନ ଲକ୍ଷାଧିକ ସଂକ୍ରମିତ ହେଉଥିବା ବେଳେ ଦେଶର ବଡବଡ ଡାକ୍ତରଖାନାରେ ଅକ୍ସିଜେନ ଅଭାବ ଦେଖାଦେଇଛି। ଏନେଇ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି। ଏଭଳିସ୍ଥତିରେ ସମସ୍ୟାର ସମାଧାନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାରେ ଏକ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ସର୍ବାଧିକ ଆକ୍ରାନ୍ତ ୧୨ଟି ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏପରି କି ଅମ୍ଳଜାନ ପ୍ରସ୍ତୁତ କରୁଥିବା ପ୍ଲାଣ୍ଟଗୁଡିକ କ୍ଷମତା ଅନୁସାରେ ଅମ୍ଳଜାନ ଉତ୍ପାଦନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଅକ୍ସିଜେନ ସିଲିଣ୍ଡର ନେଇ ଯାଉଥିବା ଗାଡିଗୁଡିକ ବିନା ପ୍ରତିବନ୍ଧକରେ ଯାତାୟତ କରିପାରିବ ସେଥିପ୍ରତି ଅଧିକାରୀଙ୍କୁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦେଶରୁ ୫୦ ହଜାର ମେଟ୍ରିକ ଟନ ମେଡିକାଲ ଅକ୍ସିଜେନ କେନ୍ଦ୍ର ସରକାର ଆମଦାନି କରିବେ ବୋଲି ସୂଚନା ମିଳିଛି।

Share