Categories: ଜାତୀୟ

ଢିଲା ସୁରକ୍ଷା ବ୍ୟବସ୍ଥା ଉପରେ ଆଜି ଶୁଣାଣି

ନୂଆଦିଲ୍ଲୀ,୭ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟିକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ସମ୍ପର୍କିତ ଏକ ପିଟିଶନର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହେବ। ଏନେଇ ସର୍ବୋଚ୍ଚ ଅଦାଲତ ଗୁରୁବାର ପଞ୍ଜାବ ସରକାରଙ୍କୁ ନୋଟିସ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ବୁଧବାର ପଞ୍ଜାବର ଫିରୋଜପୁର ଯାଉଥିବାବେଳେ କୃଷକମାନେ ଏହାକୁ ବିରୋଧକରି ରାସ୍ତା ଅବରୋଧ କରିଥିଲେ। ଫଳରେ ମୋଦି ଏକ ଫ୍ଲାଏଓଭରରେ ପ୍ରାୟ ୨୦ ମିନିଟ ଧରି ଫସିରହିବା ପରେ ସଭା ବାତିଲ କରି ଦିଲ୍ଲୀ ଫେରିଯାଇଥିଲେ। ଏଥିଲାଗି ଭାଜପା ପଞ୍ଜାବର କଂଗ୍ରେସ ସରକାର ଉପରେ ଦୋଷ ଲଦିଥିବାବେଳେ ଏହି ପ୍ରସଙ୍ଗରେ ଜାତୀୟ ରାଜନୀତି ସରଗରମ ହୋଇଛି।

ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନ ହୁଏ ତାହା ସୁନିଶ୍ଚିତ କରିବା ଲାଗି ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂ ଗୁରୁବାର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରି ଏହାର ତ୍ୱରିତ ଶୁଣାଣି ନିମନ୍ତେ ପ୍ରାର୍ଥନା କରିଛନ୍ତି। ମନିନ୍ଦର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ପଞ୍ଜାବ ପୋଲିସ ପକ୍ଷରୁ ନିଆଯାଇଥିବା ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କିତ ସମସ୍ତ ପ୍ରମାଣ ସଂଗ୍ରହ କରିବା ଲାଗି ବଠିଣ୍ଡା ଜିଲା ଜଜ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଉ। ଏହି ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ନିବେଦନ କରିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭ. ରମନାଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ହିମା କୋହିଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନେଇ ପଞ୍ଜାବ ସରକାରଙ୍କୁ ନୋଟିସ କରିଛନ୍ତି। ଏଥିସହ ଶୁକ୍ରବାର ପ୍ରଥମେ ଏହି ପ୍ରସଙ୍ଗରେ ବିଚାର କରାଯିବ ବୋଲି କହିଛନ୍ତି।

 

Share