ନୂଆଦିଲ୍ଲୀ,୧୭।୯: ଋଣ ଠକେଇ ଦ୍ୱାରା ପ୍ରଭାବିତ ସ୍ଥିତିରେ ରହିଥିବା ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ (ପିଏମ୍ସି) ବ୍ୟାଙ୍କ ଏହାର ପରିଚାଳନାକୁ ଉନ୍ନତ କରିବାକୁ ଯୋଜନା ରଖିଛି। ବ୍ୟାଙ୍କର ସ୍ଥିତି ବିଗିଡ଼ିଯାଇଥିବା ବେଳେ ଅନ୍ୟ ବ୍ୟାଙ୍କ ସହ ମିଶ୍ରଣ ଲାଗି ଏହା ବର୍ତ୍ତମାନ ସୁଯୋଗ ଖୋଜୁଥିବା ଜଣାପଡିଛି। ଏଥି ଲାଗି ଏହି ବ୍ୟାଙ୍କ ପ୍ରମୁଖ ବ୍ୟାଙ୍କଗୁଡିକୁ ପ୍ରସ୍ତାବ ଦେଉଥିବା ଶୁଣାଯାଉଛି। ସେହିଭଳି କରୋନା ଯୋଗୁ ବ୍ୟାଙ୍କିଙ୍ଗ ଶିଳ୍ପର କାରବାର ପ୍ରଭାବିତ ହୋଇଛି। ଏଭଳି ନୂଆ ପଦକ୍ଷେପ ଦ୍ୱାରା ବ୍ୟାଙ୍କର ପରିଚାଳନାକୁ ସୁଧାର ଆଣିବା ଦିଗରେ ପ୍ରୟାସ ଜାରି ରହିଛି ବୋଲି ବ୍ୟାଙ୍କର ଆଡମିନିଷ୍ଟ୍ରେଟର କୋର୍ଟକୁ ଫାଇଲିଂରେ କହିଛନ୍ତି। ନ୍ୟୁଜ ଏଜେନ୍ସି ରଏଟର୍ସ ପକ୍ଷରୁ ଏ ସଂକ୍ରାନ୍ତ ଏକ ଖବର ପ୍ରକାଶ ପାଇଛି। ଗତ ବର୍ଷ ଏହି ବ୍ୟାଙ୍କରେ ବଡ ଧରଣର ଠକେଇ ସାମ୍ନାକୁ ଆସିଥିଲା। ଏଥିଲାଗି ରିଜର୍ଭ ବ୍ୟାଙ୍କ ଏହା ଉପରେ ୧୦ ହଜାର ଟଙ୍କାର ଉଠାଣ କଟକଣା ଲଗାଇଥିଲା। ରିୟଲ ଇଷ୍ଟେଟ କମ୍ପାନୀ ଏଚ୍ଡିଆଇଏଲ୍କୁ ଋଣ ଯୋଗାଣ ଦ୍ୱାରା ଏହି ବ୍ୟାଙ୍କର ସ୍ଥିତି ଖରାପ ହୋଇଛି। ବର୍ତ୍ତମାନ ବ୍ୟାଙ୍କର ବୋର୍ଡକୁ ବରଖାସ୍ତ କରାଯାଇଛି। ରିଜର୍ଭ ବ୍ୟାଙ୍କ ଜୟ ଭଗବାନ ବୋରିଆଙ୍କୁ ଆଡମିନିଷ୍ଟ୍ରେଟର ଭାବେ ନିଯୁକ୍ତ କରିଛି।