ଏକାଠି ନିର୍ବାଚନ ଲଢ଼ିବେ ପିଏମଏଲ-ଏନ, ଏମକ୍ୟୁଏମ-ପି…

ଇସଲାମାବାଦ,୭।୧୧ : ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ଏବଂ ମୁତାହିଦା କୌମି ମୁଭମେଣ୍ଟ ପାକିସ୍ଥାନ (ଏମକ୍ୟୁଏମ-ପି) ମଙ୍ଗଳବାର ଘୋଷଣା କରିଛନ୍ତି ସେମାନେ ଫେବୃଆରୀ ୮ ସାଧାରଣ ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବେ। ମିଡିଆ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଦଳର ମଡେଲ ଟାଉନ ସେକ୍ରେଟାରିଏଟ ଲାହୋରରେ ପିଏମଏଲ-ଏନ ସୁପ୍ରିମୋ ନୱାଜ ସରିଫଙ୍କ ସହ ଏମକ୍ୟୁଏମ-ପିର ଏକ ପ୍ରତିନିଧୀଙ୍କ ବୈଠକ ପରେ ଏହି ସୂଚନା ପ୍ରଦାନ କରାଯାଇଛି।
ସୋମବାର ପିଏମଏଲ-ଏନ ଏବଂ ପିପିପି (ପାକିସ୍ତାନ ପିପୁଲ୍ସ ପାର୍ଟି) ର ବରିଷ୍ଠ ନେତାମାନେ ଦେଶର ଉନ୍ନତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଘୋଷଣା କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏବଂ ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀଙ୍କ ମଧ୍ୟରେ ଏକ ଫୋନ ବାର୍ତ୍ତାଳାପ ହେବା ପରେ ରାଜନୈତିକ ପରିସ୍ଥିତି ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହୋଇଥିବାବେଳେ ଏହି ଘୋଷଣା କରାଯାଇଥିଲା।

ସୋମବାର ଏମକ୍ୟୁଏମ-ପି ଘୋଷଣା କରିଥିଲା ପିଏମଏଲ-ଏନ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସେମାନଙ୍କ ନେତା ଖାଲିଦ ମକବୁଲ ସିଦ୍ଦିକିଙ୍କ ସହ ଯୋଗାଯୋଗ କରି ତାଙ୍କୁ ନୱାଜ ସରିଫଙ୍କୁ ଭେଟିବାକୁ ନିମନ୍ତ୍ରଣ କରିଛନ୍ତି। ସାଧାରଣ ନିର୍ବାଚନ ପାଇଁ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ଫେବୃଆରୀ ୮ତାରିଖ ଘୋଷଣା କରିବା ପରେ ଦେଶରେ ରାଜନୈତିକ ପ୍ରଚାର ଅଭିଯାନ ବୃଦ୍ଧି ପାଇଛି।

ଚାରି ବର୍ଷ ଆତ୍ମ ନିର୍ବାସନ ପରେ ପିଏମଏଲ-ଏନ ସୁପ୍ରିମୋ ନୱାଜ ଅକ୍ଟୋବର ୨୧ ରେ ଲଣ୍ଡନରୁ ଫେରିଥିଲେ। ଏହା ସହିତ ସରିଫ ପରିବାର ରାଜନୈତିକ କାର୍ଯ୍ୟକଳାପ ଆରମ୍ଭ କରି ଲାହୋରରେ ଦଳର ନେତାମାନଙ୍କୁ ଭେଟିଛନ୍ତି।

Share